ଦେବାଶିଷଙ୍କୁ ମିଳିଲାନି ଟିକେଟ ,ଶଶୀଭୂଷଣ ପଡ଼ିଲେ ବାଦ; ଶକୁନ୍ତଳା ଲାଗୁରୀ ଆଉଟ ...କେନ୍ଦୁଝର ଲୋକସଭାରୁ ଚନ୍ଦ୍ରାଣୀ ମୁର୍ମୁ

Published By : Prameya-News7 Bureau | April 01, 2019 IST

ଭୁବନେଶ୍ଵର ୧/୪- ଦେବାଶିଷଙ୍କୁ ମିଳିଲାନି ଟିକେଟ ,ଶଶୀଭୂଷଣ ପଡ଼ିଲେ ବାଦ । ଆଜି  ବିଜେଡ଼ି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯାଜପୁର ଜିଲ୍ଲା ବରୀରୁ ଆଶାୟୀ ଥିବା ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କୁ ଟିକେଟ ମିଳିନାହିଁ । ଏଠାରେ ଦଳ ନୂଆ ମୁହଁ ଉପରେ ଭରସା କରିଛି । ସୁନନ୍ଦା ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି । ସେହିଭଳି ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଟିକେଟ ଦିଆଯାଇନାହିଁ । ଏଠାରେ ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ଦଳ ଟିକେଟ ଦେଇଛି । ଅରବିନ୍ଦ ଢ଼ାଲି ୨୦୦୯ ପର୍ଯ୍ୟନ୍ତ ବିଜେପିରେ ଥିଲେ । ତା ପରେ ବିଜେଡ଼ିରେ ଯୋଗଦେଇ ୨୦୦୯ ମସିହାରେ ଜୟଦେବ ଆସନରୁ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୪ରେ ପୂର୍ବତନ ସାଂସଦ ଶଶୀଭୁଷଣ ବେହେରାଙ୍କୁ ବିଜେଡ଼ି ଟିକେଟ ଦେଇଥିଲା ଓ ଅରବିନ୍ଦଙ୍କ ଟିକେଟ କଟିଥିଲା । ଚଳିତଥର ଶଶୀଭୂଷଣଙ୍କ ଟିକେଟ କାଟି ସେଠାରେ ପୁଣି ଅରବିନ୍ଦ ଢ଼ାଲିଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି ଶଶୀଭୂଷଣ ବେହେରା ନବୀନ ନିବାସ ଯାଇ ନବୀନଙ୍କୁ ଦେଖା କରିଥିଲେ । କିନ୍ତୁ ନବୀନଙ୍କ ସହିତ କଣ ଆଲୋଚନା ହୋଇଛି ତାହା ପ୍ରକାଶ କରିନଥିଲେ ।

ପୂର୍ବତନ ମନ୍ତ୍ରୀ ତଥା ମୋରଡ଼ା ବିଧାୟକ ପ୍ରବୀଣ ଭଂଜଦେଓ ଆଜି ଟିକେଟ  ନମିଳିବା ଆଶଙ୍କାରେ ଦଳ ଛାଡ଼ିଥିଲେ । ସେଠାରେ ବିଜେପିରୁ ଆସିଥିବା ରାଜକିଶୋର ଦାଶଙ୍କୁ ପ୍ରାର୍ଥୀ କରାଯାଇଛି । ସେହିଭଳି ବସ୍ତା ଆସନରୁ ଟିକେଟ ନପାଇବା ଆଶଙ୍କାରେ ଗତକାଲି ରଘୁନାଥ ମହାନ୍ତି ଦଳ ଛାଡ଼ିଥିଲେ । ସେଠାରେ ଦଳ ନିତ୍ୟାନନ୍ଦ ସାହୁଙ୍କୁ ପ୍ରାର୍ଥୀ କରିଥିବା ଘୋଷଣା କରିଛି ।  

ଅପରପକ୍ଷରେ କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରିଙ୍କ ଟିକେଟ କଟିଛି ।  ସେଠାରେ ଦଳ ନୂଆ ମୁହଁ ଉପରେ ଭରସା କରିଛି । ଚନ୍ଦ୍ରାଣୀ ମୁର୍ମୁଙ୍କୁ ଦଳ ଟିକେଟ ଦେଇଛି । ଆଜି ଦଳ ୯ଟି ବିଧାନସଭା ଓ ୨ଟି ଲୋକସଭା ପାଇଁ ତାଲିକା ଘୋଷଣା କରିଛି । ଫଳରେ ବିଜେଡ଼ିର ଘୋଷିତ ପ୍ରାର୍ଥୀ ସଂଖ୍ୟା ହେଲା ୧୨୮ । ଏବେ ମଧ୍ୟ ଆହୁରି ୧୯ଟି ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି । ସେହିଭଳି ଆଜି ୨ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଘୋଷିତ ପ୍ରାର୍ଥୀ ସଂଖ୍ୟା ୨୦ରେ ପହଂଚିଛି । କେବଳ ଢ଼େଙ୍କାନଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ସୂଚନା ଯୋଗ୍ୟଯେ ତଥାଗତ ଶତପଥୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି । ତେଣୁ ଢ଼େଙ୍କାନାଳରୁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଦ୍ଵନ୍ଦ୍ଵରେ  ପଡ଼ିଛି ।

ଏଭଳି ଆକସ୍ମିକଭାବେ ନେତାଙ୍କ ଟିକେଟ କାଟିବା ଓ ଆସନ ପରିବର୍ତ୍ତନ କରିବା ପଛରେ ନବୀନଙ୍କର ଏକ ନିର୍ଦ୍ଦିଷ୍ଟ ରଣନୀତି ରହିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଲୋଚନା କରୁଛନ୍ତି । ଆଣ୍ଟି ଇନକମ୍ବେନ୍ସିକୁ ପ୍ରତିହତ କରିବା ପାଇଁ ଏହି ରଣନୀତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହାଦ୍ଵାରା ଯେ ଦଳରେ ଅସନ୍ତୋଷ ଓ ବିଦ୍ରୋହୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ,ତାହା ମଧ୍ୟ ସତ୍ୟ ।

ସୂଚନାଯୋଗ୍ୟଯେ ଆଜି ଘୋଷଣା କରାଯାଇଥିବା ତାଲିକା ଅନୁସାରେ କଟକ ଲୋକସଭା ପାଇଁ ଭର୍ତ୍ତୃହରି ମହତାବ , କେନ୍ଦୁଝର ଲୋକସଭା ପାଇଁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି । ସେହିଭଳି ୯ଟି ବିଧାନସଭା ଆସନ ମଧ୍ୟରୁ ଖୋର୍ଦ୍ଧାରୁ ଜିତୁ ମିତ୍ର , ବେଗୁନିଆରୁ ରାଜକିଶୋର ସାହୁ , ଚିଲିକାରୁ ପ୍ରଶାନ୍ତ ଜଗଦ୍ଦେବ ,ବରୀରୁ ସୁନନ୍ଦା ଦାସ, ରାଇରଂଗପୁରରୁ ବାସନ୍ତୀ ମାରାଣ୍ଡି , ମୋରଡ଼ାରୁ ରାଜକିଶୋର ଦାଶ, ଜୟଦେବରୁ ଅରବିନ୍ଦ ଢ଼ାଲି, ଦେବଗଡ଼ରୁ ରୋମାଂଚ ରଂଜନ ବିଶ୍ଵାଳ, ବସ୍ତାରୁ ନତ୍ୟାନନ୍ଦ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.