ଆମେରିକାରେ ୨୪ ଘଣ୍ଟାରେ ଗଲା ୨୭୦୦ ଲୋକଙ୍କ ଜୀବନ, ୪୫ ହଜାର ଅତିକ୍ରମ କଲା ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | April 22, 2020 IST

ଓ୍ବାଶିଂଟନ୍ ୨୨।୪: ବିଶ୍ବରେ କରୋନା ଭାଇରସ୍ ର ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଆମେରିକା ଏହି ଭାଇରସ୍ ଦ୍ବାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ଯୋଗୁଁ ୨୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏହାସହ ଆମେରିକାରେ ଏହି ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟା ୪୫ ହଜାରରୁ ଅତିକ୍ରମ କରିଛି । ଯାହାକି ଅନ୍ୟ କୌଣସି ଦେଶ ତୁଳନାରେ ସର୍ବାଧିକ ।

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଆମେରିକାରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ମହାମାରୀର ୮,୨୪,୧୭୪ ସଂକ୍ରମିତ ହୋଇସାରିଲେଣି । ମୋଟ୍ ୪୫,୦୩୯ ଲୋକ ପ୍ରାଣ ହରାଇଛନ୍ତି । ଆମେରିକାର ଗତ କିଛି ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହା ପ୍ରାୟ ଏକ ସପ୍ତାହ ମଧ୍ୟରେ ଦ୍ବିଗୁଣିତ ହୋଇଛି । ସବୁଠାରୁ ଶକ୍ତିଶାଳୀ ଦେଶରେ ଏପର୍ଯ୍ୟନ୍ତ ୪୧ ଲକ୍ଷରୁ ଅଧିକ ଲୋକଙ୍କ କରୋନା ପରୀକ୍ଷା କରାଯାଇଛି । ଆମେରିକାର ଅନ୍ୟତମ ବୃହତ୍ତମ ସହର ନ୍ୟୁୟର୍କରେ କରୋନା ଅତି ଭୟଙ୍କର ରୂପ ଧାରଣ କରିଛି । ସେଠାରେ ପ୍ରାୟ ୧୫,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନା ଭାଇରସ୍ କାରଣରୁ ଆମେରିକାରେ ନିଯୁକ୍ତି ସଙ୍କଟକୁ ଦୃଷ୍ଟିରେ ରଖି ଇମିଗ୍ରେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅର୍ଥାତ୍ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶର ଲୋକଙ୍କୁ ଆମେରିକାରେ ରହିବାକୁ ଅନୁମତି ଦିଆଯିବ ନାହିଁ ।

ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ବରେ କରୋନା ଭାଇରସ୍ ଦ୍ବାରା ଏପର୍ଯ୍ୟନ୍ତ ୨୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ପ୍ରାୟ ୧ ଲକ୍ଷ ୭୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.