ମହାରାଷ୍ଟ୍ର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି, ସାହାଯ୍ୟ ପାଇଁ କାନ୍ଧ ମିଳାଇଲେ ଅନ୍ୟ ରାଜ୍ୟ, ଓଡ଼ିଶା ପଠାଇଲା ଓଡ୍ରାଫ୍‌ ଟିମ୍‌

Published By : Prameya-News7 Bureau | July 23, 2021 IST

ମୁମ୍ୱାଇ, ୨୩/୦୭: ଯାହା ସପ୍ତାହେ ତଳେ ୟୁରୋପରେ ହୋଇଥିଲା ଏବେ ସେହି ସ୍ଥିତି ମହାରାଷ୍ଟ୍ରରେ ହୋଇଛି।  ଲଗାଣ ବର୍ଷା ବନ୍ୟା ବୀଭିଷିକା ସୃଷ୍ଟି କରିଛି । ରାଇଗଡ଼ ଜିଲ୍ଲାରେ ଦୁଇ ଦିନ ହେବ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏନଡିଆରଏଫ୍‌ ଟିମ୍‌ ରେସକ୍ୟୁ ଅପରେସନ ଜାରି ରଖିଛି। ପୂରା ମହାରାଷ୍ଟ୍ର ବର୍ଷା ପାଇଁ ୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

ଭିଓ ବର୍ଷା ଯୋଗୁ ମହାସଙ୍କଟରେ ମହାରାଷ୍ଟ୍ର । ବର୍ଷାଜନିତ ଦୁର୍ଘଟଣା ଯୋଗୁ ପୂରା ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । କେବଳ ରାଇଗଡ଼ ଜିଲ୍ଲା ତଲଇ ଗାଁରେ ପାହାଡ଼ ଅତଡ଼ା ଧସିବା ଯୋଗୁ ୩୫ଟି ଘର ପୋତି ହୋଇଯାଇଛି ।  ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି।  ମୃତକଙ୍କ ମଧ୍ୟରେ ତଲଇରେ ୩୨ଜଣ ଅଛନ୍ତି। ଏନଡିଆରଏଫ ମିଳିତ ଉଦ୍ଧାର କାର୍ଯ୍ୟରେ ଲାଗିଛି। ହେଲିକପ୍ଟର ନିୟୋଜିତ କରାଯାଇଛି।

ସ୍ଥିତି ଉପରେ କେନ୍ଦ୍ର ନଜର ରଖିଛି। ମହାରାଷ୍ଟ୍ର ସରକାରଙ୍କ ସହିତ ଅନ୍ୟ ରାଜ୍ୟମାନେ ମଧ୍ୟ କାନ୍ଧ ମିଳାଇଛନ୍ତି । ଓଡ଼ିଶାରୁ ଓଡ୍ରାଫ ଟିମ୍‌ ମହାରାଷ୍ଟ୍ର ଗସ୍ତ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏମାନେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି ରାଇଗଡ଼, ରତ୍ନଗିରି, କୋହ୍ଲାପୁର, ଥାନେ ଓ ପାଲଘରର  ଭଳି ଜିଲ୍ଲା। ରାଇଗଡ଼  ଜିଲ୍ଲାର ୪ଟି ସ୍ଥାନରେ ଭୂ-ସ୍ଖଳନ ହୋଇଛି। କୋଙ୍କଣ ଡିଭିଜନରେ ବର୍ଷା ଜନିତ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି। କୋହ୍ଲାପୁରର ଚିଖାଲୀରେ ଫଶି ରହିଥିବା ଲୋକଙ୍କୁ ବାହାରକୁ ଆଣିବା ଲାଗି ଏନଡିଆରଏଫର ୨ ଟିମ୍‌ ଲଗାତାର ପ୍ରୟାସ ଜାରି ରଖିଛନ୍ତି।

ତେବେ ୨୪ ଘଣ୍ଟା ପାଇଁ ଅନେକ ଜିଲ୍ଲାକୁ ବର୍ଷା ଆଲର୍ଟ ଥିବାରୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି ।  ଜଳବାୟୁ ପରିବର୍ତ୍ତନକୁ ହିଁ ବିଶେଷ ଭାବେ ଦାୟୀ କରାଯାଉଛି। କାରଣ ଗତ କିଛି ବର୍ଷ ଧରି ମହାରାଷ୍ଟ୍ରରେ କରାଳ ବନ୍ୟା ସ୍ଥିତି ସୃଷ୍ଟିହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.