ପାକିସ୍ତାନ ଭୂମିକମ୍ପ ଅପଡେଟ୍ : ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୪୫୦ରୁ ଅଧିକ ଆହତ

Published By : Prameya-News7 Bureau | September 25, 2019 IST

ଇସଲାମାବାଦ ୨୫।୯: ପାକିସ୍ତାନରେ ଭୟଙ୍କର ଭୂମିକମ୍ପର ପ୍ରଭାବ ଉତ୍ତର ଭାରତରେ ମଧ୍ୟ ଦେଖାଦେଇଥିଲା । ପାକିସ୍ତାନ ଅଧିକୃତ କାଶ୍ମୀରର ଜାଟଲାନରେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ଯାହାକି ଶ୍ରୀନଗରଠାରୁ ୧୪୦ କିଲୋମିଟର ଦୂର । ପାକିସ୍ତାନର ସ୍ଥାନୀୟ ସମୟ ଅପରାହ୍ନ ୪ଟା ୩୨ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତ ୬.୩ ଥିଲା ବୋଲି ଆକଳନ କରାଯାଇଛି । ତେବେ ପାକିସ୍ତାନ ପକ୍ଷରୁ କୁହାଯାଇଛି ଏହାର ତୀବ୍ରତା ୫.୮ ଥିଲା ଏବଂ ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ଭୂକମ୍ପ ସୃଷ୍ଟି ହୋଇଛି ।

{"id":162519}

ଭୂମିକମ୍ପ ଯୋଗୁଁ ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାୱଲପିଣ୍ଡି, ଇସଲାମାବାଦ, ପେଶାୱାର ଓ ଲାହୋରରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ବିଶେଷ କରି ମିରପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂକମ୍ପ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି । 

{"id":162520,"width":577,"height":360}

ପ୍ରାଥମିକ ଚିତ୍ରରୁ ଯାହା ଦେଖାଯାଇଥିଲା ପାକିସ୍ତାନର ବିଭିନ୍ନ ସ୍ଥାନରେ ରାସ୍ତା ଧସି ଯାଇଛି । ରାସ୍ତାରେ ଚଳାଚଳ କରୁଥିବା ଗାଡ଼ି ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାୟ ୮ରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ କମ୍ପନ ରହିଥିଲା ।  ଭୂମିକମ୍ପର ପ୍ରଭାବ ଉତ୍ତର ଭାରତରେ ମଧ୍ୟ ଦେଖାଦେଇଛି । ଭାରତରେ ଜାମ୍ମୁ ଓ କାଶ୍ମୀର ସହିତ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଓ ପଞ୍ଜାବରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୟଭୀତ ହୋଇ ଲୋକେ ଘରୁ ବାହାରି ଆସିଥିଲେ । ତେବେ ଭୂମିକମ୍ପ ଯୋଗୁଁ କାଶ୍ମୀରରେ କୌଣସି କ୍ଷୟଯତି ହୋଇନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.