ବୃଦ୍ଧି ପାଉଛି ଅଫଗାନିସ୍ତାନ ମସ୍‌ଜିଦ୍‌ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା, ଜଟିଳ ହେଉଛି ସ୍ଥିତି, ତାଲିବାନ୍‌ ସହ ଆମେରିକା କରିବ ଆଲୋଚନା

Published By : Prameya-News7 Bureau | October 09, 2021 IST

କାବୁଲ୍‌, ୦୯/୧୦: ଆତ୍ମଘାତୀ ବିସ୍ଫୋରଣରେ ଆଫଗାନିସ୍ତାନ ଲହୁଲୁହାଣ । କୁନ୍ଦୁଜୁ ମସଜିଦ୍‌ ବିସ୍ପୋରଣରେ ମୃତ୍ୟୁ ସଂଖ୍ୟା  ୧୫୦କୁ ବୃଦ୍ଧି ପାଇଛି।  ଗତକାଲି ମସଜିଦରେ ନମାଜ ଚାଲିଥିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ମସଜିଦ ଭିତରେ ପ୍ରାୟ ୩ ଶହ ଲୋକ ଥିଲେ ।  ନମାଜ କରୁଥିବା ଲୋକଙ୍କ ଭିତରେ ହିଁ ଆତ୍ମଘାତୀ ଆତଙ୍କୀ ଲୁଚି ରହିଥିଲା । ଆଫଗାନିସ୍ତାନରେ ତାଲିବାନ ସରକାର ଶାସନ ଭାର ସମ୍ଭାଳିବା ପରେ ଏହା ସବୁଠାରୁ ବଡ ଆତ୍ମଘାତୀ ଆକ୍ରମଣ ।  ଆଇଏସ ଆତଙ୍କବାଦୀ ସଙ୍ଗଠନ ହମଲା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  । 

ତାଲିବାନୀକୁ ବିରୋଧ କରି ଆଇଏସ ଆତଙ୍କୀ ସଂଗଠନ ବାରମ୍ବାର ଆକ୍ରମଣ କରୁଛି । ବାରମ୍ବାର ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି ।  ଗତ ଅଗଷ୍ଟ ୨୬ରେ କାବୁଲ ଏୟାରପୋର୍ଟ ସାମ୍ନାରେ ହୋଇଥିବା ବିସ୍ଫୋରଣ ପାଇଁ ମଧ୍ୟ ଆଇଏସ୍‌ ନିଜକୁ ଦାୟୀ କରିଥିଲା। କାବୁଲ ବିମାନ ବନ୍ଦର ବିସ୍ଫୋରଣ ଯୋଗୁଁ ୧୬୯ ଆଫଗାନ ନାଗରିକ ଏବଂ ୧୩ ଆମେରିକୀୟ ସୈନିକ ପ୍ରାଣ ହରାଇଥିଲେ।

ଆଫଗାନିସ୍ତାନ ସ୍ଥିତି ଜଟିଳ ହେବାରେ ଲାଗିଛି । ସେପେଟେ ଆମେରିକା ସେନା ଆଫଗାନିସ୍ତାନ ଛାଡିବା ପରେ ପ୍ରଥମ ଥର ପାଇଁ ତାଲିବାନୀଙ୍କ ସହ ଆମେରିକା ଅଧିକାରୀଙ୍କ ବୈଠକ ହେବାକୁ ଯାଉଛି । କତାର ଦୋହାରେ ତାଲିବାନ୍‌ ନେତାଙ୍କ ସହ ଆଲୋଚନା ହେବ । ଆମେରିକୀୟ ଏବଂ ଅନ୍ୟ ବିଦେଶୀ ନାଗରିକ କିଭଳି ସୁରକ୍ଷିତ ଭାବେ ଆଫଗାନିସ୍ଥାନରେ କାମ କରିପାରିବେ ସେ ନେଇ ଆଲୋଚନା ହେବ । ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର ଓ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ତାଲିବାନ ସହ ଆମେରିକା ଆଲୋଚନା କରିବା ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.