ଋଚା ଚଡ୍ଡାଙ୍କୁ ଜୀବନରେ ମାରିଦେବାକୁ ଧମକ: ‘ଅଭିନେତ୍ରୀଙ୍କ ଜିଭ କାଟିଦେଲେ ସମ୍ମାନିତ କରାଯିବ’
18/01/2021 at 4:06 PM

ମୁମ୍ବାଇ ୧୮/୦୧ : ଅଭିନେତ୍ରୀ ଋଚା ଚଡ୍ଡାଙ୍କ ଫିଲ୍ମ ମ୍ୟାଡ଼ାମ୍ ଚିଫ୍ ମିନିଷ୍ଟର୍ ବର୍ତ୍ତମାନ ବିବାଦ ଘେରରେ। ଫିଲ୍ମରେ ଋଚା ଜଣେ ଦଳିତ ଯୁବତୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଯିଏ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଟ୍ରେଲର୍ ରିଲିଜ୍ ହେବାପରେ ଫିଲ୍ମକୁ ନେଇ ନାନା ପ୍ରଶ୍ନ ଉଠିଛି। ଫିଲ୍ମକୁ ମାୟାବତୀଙ୍କ ଜୀବନି ସହ ଯୋଡାଯାଇଛି। ତେବେ ଫିଲ୍ମ ନିର୍ମାତା ସ୍ପଷ୍ଟ କରିଛନ୍ତି ଯେ ମାୟାବତୀଙ୍କ ସହ ଫିଲ୍ମର କୌଣସି ସମ୍ପର୍କ ନାହିଁ। ଫିଲ୍ମକୁ ନେଇ ଋଚାଙ୍କୁ ଲଗାତାର ଧମକ ମିଳୁଛି। ଅଖିଳ ଭାରତୀୟ ଭୀମ ସେନାର ଫାଉଣ୍ଡର ନବାବ ସତପାଲ ଋଚାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ଆହୁରି କୁହାଯାଇଛି ଯେ କିଏ ଅଭିନେତ୍ରୀଙ୍କ ଜିଭ କାଟିଦେଲେ ତାଙ୍କୁ ସମ୍ମାନିତ କରିବେ।

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସମେତ ଅନେକ କଳାକାର ଏହାକୁ କଡା ନିନ୍ଦା କରିଛନ୍ତି। ଋଚା ଚଡ୍ଡା ମଧ୍ୟ କଡା ଜବାବ ଦେଇଛନ୍ତି। ସୋସିଆଲ ମିଡ଼ିଆରେ ସେ ଲେଖିଛନ୍ତି, “ମୁଁ ଡରୁନି”
ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲା। ଟ୍ରେଲର୍ ଆରମ୍ଭରେ ହିଁ ଦର୍ଶାଯାଇଛି ଏହା ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀ। ଫିଲ୍ମର ଏକ ପୋଷ୍ଟରକୁ ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଥିଲା ଯେଉଁଥିରେ ସେ ଏକ ଝାଡୁ ଧରି ହୋଇ ଛିଡା ହୋଇଛନ୍ତି। ଏଠାରେ ପ୍ରଶ୍ନ ଉଠିଥିଲା ଯେ ବଲିଉଡରେ ଦଳିତଙ୍କ ଉପରେ ଫିଲ୍ମ ନିର୍ମାଣ କଲେ ତାଙ୍କ ହାତରେ ଝାଡୁ କାହିଁକି ଥାଏ ? ଆଉ ଏକ ପ୍ରଶ୍ନ ଉଠିଥିଲା ଯେ ଦଳିତଙ୍କ ଉପରେ ନିର୍ମିତ ଫିଲ୍ମରେ ଦଳିତ କଳାକାରଙ୍କୁ କାହିଁକି ନିଆଯାଇନାହିଁ ?

ଫିଲ୍ମ ଜାନୁଆରୀ ୨୨ ତାରିଖରେ ସିନେମାହଲରେ ରିଲିଜ ହେବ।