ବ୍ରହ୍ମପୁରରେ ପୁଣି ଘୁଷୁରୀ ମୃତ୍ୟୁ, ଜଣା ପଡ଼ୁନି କାରଣ

Published By : Prameya-News7 Bureau | February 24, 2021 IST

ବ୍ରହ୍ମପୁର,୨୪/୦୨: ଦିନକୁ ଦିନ ବ୍ରହ୍ମପୁର ଅଞ୍ଚଳରେ ଘୁଷୁରୀ ମୃତ୍ୟୁ ବଢ଼ିବାରେ ଲାଗିଛି । ବୁଧବାର ସକାଳେ ବ୍ରହ୍ମପୁରର ଗେଟବଜାର ଓ ସନ୍ଧ୍ୟାରେ ଶ୍ରୀରାମ ନଗର ଅଞ୍ଚଳରେ କୌଣସି କାରଣରୁ ଘୁଷୁରୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଶେଷଜ୍ଞ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିବା ଜଣାପଡ଼ିଛି । ଗତ ତିନି ସପ୍ତାହ ମଧ୍ୟରେ ୩୫ରୁ ଅଧିକ ଘୁଷୁରୀ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ବିଭାଗୀୟ ଡାକ୍ତରୀ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିବା ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇଛନ୍ତି । ଗତ ସପ୍ତାହରେ ନମୁନା ପଠାଇଥିଲେ ମଧ୍ୟ ରିପୋର୍ଟ ଆସିନଥିବା ବିଭାଗୀୟ ଡାକ୍ତର କହିଛନ୍ତି । ଗତକାଲି ମୃତ ଘୁଷୁରୀର ଶବ ବ୍ୟବଛେଦ କରାଯାଇଥିବା ବେଳେ ନିମୋନିଆ କାରଣରୁ ଘୁଷୁରୀର ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଦେହ କରିଥିଲେ ବୋଲି କହିଛନ୍ତି ।

ଏଭଳି ସ୍ଥିତିରେ ଆଜି ପୁଣି ଘୁଷୁରୀର ମୃତ୍ୟୁକୁ ନେଇ ବିଭାଗର ଚିନ୍ତା ବଢି ଯାଇଛି । ସେପଟେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବିଭାଗୀୟ ଡାକ୍ତର କହିଛନ୍ତି । ଅନ୍ୟପଟେ ଘୁଷୁରୀ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.