କି ଯୁଗ ହେଲା ! ‘ଜୁଦାଇ’ ଫିଲ୍ମର ଅନିଲ କପୁରଙ୍କ ଭଳି ଯୁବକଙ୍କ କାହାଣୀ: ୧୦ ଲକ୍ଷ ଟଙ୍କାରେ ନିଜ ସ୍ୱାମୀର ସଉଦା କଲା ସ୍ତ୍ରୀ
7/12/2020 at 3:07 PM

ଜବଲପୁର ୦୭/୧୨ : ମଧ୍ୟ ପ୍ରଦେଶ ଜବଲପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। କାହାଣୀ ଟିକିଏ ରିୟଲ ଏବଂ କିଛି ରିଲ ଭଳି। ଯୁବକ ଜାଣିପାରିଲେନି ସେ କେତେବେଳେ ବଲିଉଡ୍ ଫିଲ୍ମ ‘ଜୁଦାଇ’ର ଅନିଲ କପୁର ହୋଇଗଲେ। ସେ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ ଯେ ତାଙ୍କ ସ୍ତ୍ରୀ ତାଙ୍କୁ ୧୦ ଲକ୍ଷ ଟଙ୍କାରେ ଆଉ ଜଣେ ଯୁବତୀଙ୍କୁ ବିକିଦେବେ। ମାମଲା ସମ୍ପର୍କରେ ଜାଣି ପରିବାର ପରାମର୍ଶ କେନ୍ଦ୍ରର ମୁଣ୍ଡ ମଧ୍ୟ ବୁଲିଗଲା। ଯୁବକ ଜଣକ ନିଜ ସଉଦା ରୋକିବାକୁ ପରିବାର ପରାମର୍ଶ କେନ୍ଦ୍ରରେ ଆବେଦନ କରିଥିଲେ। ତାଙ୍କର ଦୁଇ ବର୍ଷର ଶିଶୁ କନ୍ୟା ବି ଅଛି। ସେଥିପାଇଁ ଯୁବକ ଜଣକ ଅତ୍ୟଧିକ ଚିନ୍ତିତ ହୋଇ ପଡିଛନ୍ତି।
ପରିବାର ପରାମର୍ଶ କେନ୍ଦ୍ରକୁ ମିଳିଥିବା ଆବେଦନ ଅନୁଯାୟୀ, ଯୁବକଙ୍କ ସ୍ତ୍ରୀ ୧୦ ଲକ୍ଷ ଟଙ୍କାରେ ନିଜ ପତିଙ୍କ ବାହାଘର ଅନ୍ୟ ଯୁବତୀ ସହ ଠିକ କରିଦେଇଛନ୍ତି। ଏଥିପାଇଁ ସେ ଆଡ଼ଭାନ୍ସ ଲକ୍ଷେ ଟଙ୍କା ମଧ୍ୟ ନେଇଛନ୍ତି। ଯୁବକ ଜଣକ ଜବଲପୁରର ଏକ ଘରୋଇ ସ୍କୁଲ କ୍ୟାଣ୍ଟିନରେ ରୋଷେଇ କରନ୍ତି। ସେହି ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ଯୁବତୀ ତାଙ୍କୁ ବହୁତ ପସନ୍ଦ କରନ୍ତି। ଯୁବତୀ ଜଣକ ତାଙ୍କ ପାଇଁ ସବୁ ସୀମା ପାର କରିବାକୁ ରାଜିଥିଲେ। ପତ୍ନୀ କୌଣସି ପ୍ରକାରେ ଏ ସମ୍ପର୍କରେ ଜାଣିବାକୁ ପାଇଲେ। ଯୁବତୀ ସମ୍ପର୍କରେ ଜାଣିବା ପରେ ସେ ତାଙ୍କ ମାଧ୍ୟମରେ ଧନୀ ହେବାକୁ ଉପାୟ ପାଞ୍ଚିଲେ।
ମହିଳା ପରିବାର ପରାମର୍ଶ କେନ୍ଦ୍ରକୁ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୋବାଇଲକୁ ସବୁବେଳେ ମେସେଜ ଆସୁଥାଏ। ସେଥିରୁ ସେ ଯୁବତୀଙ୍କ ନମ୍ବର ନେଲେ ଓ ପାଖାପାଖି ଦୁଇ ମାସ ପୂର୍ବରୁ ତାଙ୍କ ସହ ସାକ୍ଷାତ କରିଥିଲେ। ଉଭୟ ସାକ୍ଷାତ କରିବା ପରେ ୧୦ ଲକ୍ଷ ଟଙ୍କାରେ ଯୁବକଙ୍କ ସଉଦା ଧାର୍ଯ୍ୟ ହେଲା। ଯୁବତୀଙ୍କୁ ବିବାହ କରିବାକୁ ସେ ସବୁଦିନ ନିଜ ସ୍ୱାମୀଙ୍କୁ କହୁଥିଲେ। ମହିଳା ଭାବୁଥିଲେ ଯେଉଁଭଳି ଜୁଦାଇ ଫିଲ୍ମରେ ହିରୋ ନିଜ ପତ୍ନୀ ଠାରୁ ଦୁରେଇ ଯାଇଥାଏ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ଠାରୁ ଦୂରେଇଯିବ।
ଯୁବତୀଙ୍କ ଚଙ୍ଗୁଲରେ ଯୁବକ କିଭଳି ପଡିଲେ ସେ ବି କୋଉ କାହାଣୀ ଠାରୁ କମ ନୁହେଁ। ଯେଉଁ ସ୍କୁଲ କ୍ୟାଣ୍ଟିନରେ ଯୁବକ ରୋଷେଇ କରୁଥିଲେ ଯୁବତୀ ସେଠାକୁ ଖାଇବାକୁ ଯାଉଥିଲେ। ସେ ଅଧିକାଂଶ ଦିନ ଯୁବକଙ୍କୁ ତାଙ୍କ ପସନ୍ଦର ଖାଇବା ଅର୍ଡର କରୁଥିଲେ। ସେ ବି ଯୁବତୀଙ୍କ ଅର୍ଡର ଅନୁସାରେ ଖାଇବା ତିଆରି କରି ତାଙ୍କୁ ଦେଉଥିଲେ। ଫଳରେ ଯୁବତୀ ସ୍ପଷ୍ଟ ହୋଇଗଲେ ଯେ ଯୁବକ ରୋଷେଇ ବହୁତ ଭଲ କରନ୍ତି। ଯୁବକଙ୍କ ଏହି ଗୁଣ ତାଙ୍କୁ ବହୁତ ପସନ୍ଦ ଆସିଥିଲା। କାରଣ ଯୁବତୀଙ୍କୁ ରୋଷେଇ ଆସୁନଥିଲା। ଏସବୁ କଥା ଜାଣିବା ପରେ ଯୁବକଙ୍କ ସ୍ତ୍ରୀ ସ୍ୱାମୀର ସଉଦା କରିବାକୁ ନିଷ୍ପତ୍ତି ନେଲେ।
ମହିଳା ଥାନା ପ୍ରଭାରୀ ଶବାନା ପରଭେଜ କହିଛନ୍ତି ଯେ ଯୁବକ ଅବଦାନ କରିଛନ୍ତି। ଯୁବକଙ୍କ ଅଭିଯୋଗ କୌଣସି ଫିଲ୍ମ କାହାଣୀ ଠାରୁ କମ ନୁହେଁ। ସ୍ୱାମୀ-ସ୍ତ୍ରୀ ଓ ପ୍ରେମିକା ତିନିଜଣଙ୍କୁ ପରିବାର ପରାମର୍ଶ କେନ୍ଦ୍ରକୁ ଡକାଯିବ ଏବଂ କାଉନସିଲିଂ କରାଯିବ।