ପ୍ରେମ ପାଇଁ ସାଙ୍ଘାତିକ ନାଟକ: ସ୍ବାମୀକୁ ହତ୍ୟାକାରୀ ସଜାଇ ପ୍ରେମିକ ସହ ଘର ସଂସାର କରିଥିଲା ସ୍ତ୍ରୀ, ସାତ ବର୍ଷ ପରେ ଧରା ପଡ଼ିଲା ମିଛ...

Published By : Prameya-News7 Bureau | March 02, 2020 IST

କେନ୍ଦ୍ରାପଡ଼ା ୨/୩: ପ୍ରେମ ପାଇଁ ମିଛ ଅଭିଯୋଗରେ ସ୍ବାମୀଙ୍କୁ ଜେଲ୍‌ରେ ପୂରାଇଥିଲା ସ୍ବାମୀ। ଅଭିଯୋଗ ଥିଲା ନିଜ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଛନ୍ତି। କିନ୍ତୁ କଥାଟି ସମ୍ପୂର୍ଣ୍ଣ ଅଲଗା। ବିବାହ ପରେ ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ରାତିରେ ଘର ଛାଡ଼ି ଚାଲି ଯାଇଥିଲା। କିନ୍ତୁ ରାତିରେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରି କୁଆଡ଼େ ପିଙ୍ଗି ଦେଇଥିବା କଥା ସକାଳୁ ପ୍ରଘଟ ହୋଇଥିଲା।

{"id":231859,"sizeSlug":"large"}

ହେଲେ ସ୍ତ୍ରୀ ନିଜ ପ୍ରେମିକଙ୍କ ସହ ବେଶ ଖୁସିରେ ଅଛନ୍ତି। ଏପର କି ସ୍ତ୍ରୀଙ୍କୁ ମୃତା ବୋଲି ଘୋଷଣା ବି କରି ଦିଆଯାଇଥିଲା। ଦୀର୍ଘ ସାତ ବର୍ଷ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଚାଉଳିଆ ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ପାଟକୁରା ପୁଲିସ କୌଣସି ସୂତ୍ରରୁ ଖବର ପାଇ ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ମୃତା କୁହାଯାଉଥିବା ଉକ୍ତ ମହିଳାଙ୍କ ସହିତ ତାଙ୍କର ପ୍ରେମିକ ଓ ସେମାନଙ୍କର ୨ ସନ୍ତାନଙ୍କୁ ହେପାଜତକୁ ଆଣିଛି।

ସୁଚନାଯୋଗ୍ୟ ଯେ ପାଟକୁରା ଥାନା ଅନ୍ତର୍ଗତ ବାମରା ଗ୍ରାମର ଗନ୍ଧର୍ବ ସୂତାରଙ୍କ ପୁଅ ଅଭୟ ସୂତାର କୁଜଙ୍ଗ ଥାନା ଅନ୍ତର୍ଗତ ସମାଗୋଳ ଗ୍ରାମର ପ୍ରହଲ୍ଲାଦ ମହାରଣାଙ୍କ ଝିଅ ମିଲି ଓରଫ ଇତିଶ୍ରୀ ମହାରଣାଙ୍କୁ ୨୦୧୩ ଫେବ୍ରୁଆରୀ ୭ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ । ବର ପକ୍ଷର ଦାବି ମୁତାବକ ମିଲିଙ୍କ ବାପା ପ୍ରହଲ୍ଲାଦ ଯୌତୁକ ଦେଇଥିଲେ । ବିବାହର ୧୫ ଦିନ ପରେ ଅର୍ଥାତ ୨୨ ତାରିଖରେ ଅଭୟ ତାଙ୍କ ସ୍ତ୍ରୀ ମିଲିଙ୍କ ସହ ଶ୍ୱଶୂର ଘର ସମାଗୋଳକୁ ବୁଲିବାକୁ ଯାଇଥିଲେ । ମାତ୍ର ଏହି ସମୟରେ ଶାଶୂଘର ଲୋକେ ଅଧିକ ଯୌତୁକ ଦାବିକରି ତାଙ୍କୁ ନିର୍ଯାତନା ଦେଉଥିବା ମିଲି ତାଙ୍କ ବାପା ପ୍ରହଲ୍ଲାଦଙ୍କ ସମେତ ପରିବାର ଲୋକଙ୍କୁ କହିଥିଲେ । ଝିଅ ମିଲିଠାରୁ ଏପରି ଖବର ଶୁଣି ଝିଅ ଜ୍ବାଇଁଙ୍କୁ ସାଥୀରେ ଆଣି ପ୍ରହଲ୍ଲାଦ ସମୁଦି ଘର ବାମରା ଗାଁକୁ ଆସିଥିଲେ ।

{"id":231860,"sizeSlug":"large"}

ଝିଅ ଯେମିତି ଭଲରେ ଚଳିବ ସମୁଦି ଘର ଲୋକଙ୍କ ସହିତ ଆଲୋଚନା କରି ପ୍ରହଲ୍ଲାଦ ସେଦିନ ସେଠାରେ ରାତ୍ରିଯାପନ କରିଥିଲେ । କିନ୍ତୁ ପରଦିନ ସକାଳୁ ହଠାତ୍‌ ମିଲି ଶାଶୂ ଘରୁ କୁଆଡ଼େ ନିଖୋଜ ହୋଇଯାଇଥିଲେ । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ଶାଶୂଘର ଲୋକଙ୍କ ସହିତ ସେଠାରେ ଥିବା ତାଙ୍କ ବାପା ପ୍ରହଲ୍ଲାଦ ମିଲିକୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କିଛି ସନ୍ଧାନ ପାଇ ନଥିଲେ । ପରେ ପାଟକୁରା ଥାନାରେ ଝିଅ ମିଲିର ନିଖୋଜ ସମ୍ପର୍କରେ ପ୍ରହଲ୍ଲାଦ ଏତଲା ଦେଇଥିଲେ । ଦୀର୍ଘ ୩ ମାସ ଧରି ଝିଅ ମିଲିର କୌଣସି ଖୋଜ୍‌ଖବର ନମିଳିବାରୁ ପରେ ପ୍ରହଲ୍ଲାଦ ମେ ୧୪ ତାରିଖରେ ଝିଅକୁ ଅଧିକ ଯୌତୁକ ଦାବିରେ ଶାଶୂଘର ଲୋକେ ହତ୍ୟା କରିଥିବା ପାଟକୁରା ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପାଟକୁରା ପୁଲିସ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରିଥିଲା । ତତ୍କାଳୀନ ଅତିରିକ୍ତ ଏସ୍‌ପି ଏହି ମାମଲାରେ ନିଜେ ବି ହସ୍ତକ୍ଷେପ କରିଥିଲେ ।

ହେଲେ ଏତଲାର ଦୀର୍ଘ ୩ ମାସ ପରେ ବି ମିଲିକୁ ଜୀବିତ କିମ୍ୱା ତାଙ୍କ ମୃତଦେହକୁ ପୁଲିସ ଠାବ କରିପାରି ନଥିଲା । କିନ୍ତୁ ଏହି ଯୌତୁକଜନିତ ହତ୍ୟା ଅଭିଯୋଗ ମାମଲାରେ ପୁଲିସ ମିଲିଙ୍କ ସ୍ୱାମୀ ଅଭୟ ସୂତାରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଅଭୟ ୭ ଦିନ ଜେଲ୍‌ରେ ରହିବା ପରେ ଜାମିନ ପାଇଥିଲେ । ପରେ ଅନ୍ୟ ଅଭିଯୁକ୍ତ ମିଲିଙ୍କ ଶଶୁର ଗନ୍ଧର୍ବ ସୂତାର, ଶାଶୂ ବିଦ୍ୟୁଲତା ସୂତାର, ଦିଅର ନିର୍ମଳ ସୂତାର ଓ ସାନ ଯା’ ସରୋଜିନୀ ସୂତାର ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାରୁ ସମ୍ଭାବ୍ୟ ଗିରଫଦାରୀରୁ ବର୍ତ୍ତି ଯାଇଥିଲେ । ମୃତଦେହ ମିଳି ନଥିବାରୁ ଆଜି ପର୍ଯ୍ୟନ୍ତ ପୁଲିସ ଚାର୍ଜସିଟ୍‌ ବି ଦାଖଲ କରିନାହିଁ ।

ପାଟକୁରା ଥାନା ଆଇଆଇସି ସୁଜିତ ପ୍ରଧାନ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ମୃତା ବୋଲି କୁହାଯାଉଥିବା ମିଲି ଓରଫ ଇତିଶ୍ରୀ ମହାରଣା ତାଙ୍କ ପ୍ରେମିକ ଓ ଦୁଇ ପିଲାଙ୍କ ସହ ପିପିଲିରେ ରହିଆସୁଛନ୍ତି। ତେଣୁ ଗତ ୨୮ ତାରିଖରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖରଙ୍କ ନିର୍ଦ୍ଦେଶ କ୍ରମେ ପାଟକୁରା ଆଇଆଇସି ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏସ୍‍ଆଇ ମହମ୍ମଦ ଜାମସେଦ୍‍ଙ୍କ ସହ ଟିମ୍‍ ଚଢ଼ଉ କରି ପିପିଲିରୁ ମିଲିଙ୍କ ସହିତ ତାଙ୍କ ପ୍ରେମିକ ପପୁ ଓରଫ ରାଜୀବଲୋଚନ ମହାରଣା ଏବଂ ସେମାନଙ୍କ ୨ ଶିଶୁଙ୍କୁ ଧରି ଥାନାକୁ ଆଣିଥିଲେ । ଆଇଆଇସି ଶ୍ରୀ ପ୍ରଧାନ ଶନିବାର ମିଲିଙ୍କୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‍ କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଇଛନ୍ତି ।

ତେବେ ମିଲି ୧୬୪ ଧାରା ଆଧାରରେ ଯାହା ବୟାନ ରଖିଛନ୍ତି ତାହା ସଭିଁଙ୍କୁ ଚକିତ କରିଛି । ତାଙ୍କର ବୟାନ ଏମିତି ଥିଲା, ଅଭୟଙ୍କୁ ବିବାହ ପୂର୍ବରୁ ତାଙ୍କ ଘରେ ଭଡ଼ାରେ ରହୁଥିବା କଟକ ଜିଲ୍ଲା ଚୌଦ୍ୱାର ଥାନା ବଡ଼ପଦା ଗ୍ରାମର ଉତ୍ତମ ମହାରଣାଙ୍କ ପୁଅ ପପୁ ଓରଫ ରାଜୀବଲୋଚନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେମାନେ ପରସ୍ପରକୁ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ । ପପୁ ପାରାଦୀପରେ ଡ୍ରାଇଭର ଭାବେ କାମ କରୁଥିଲେ । ମିଲି ତାଙ୍କ ମା’ଙ୍କ ଜରିଆରେ ଏ ସଂକ୍ରାନ୍ତରେ ବାପା ପ୍ରହଲ୍ଲାଦଙ୍କୁ ଜଣାଇବାରୁ ସେ ଏ ପ୍ରସ୍ତାବରେ ରାଜି ହୋଇ ନଥିଲେ । ବାପା ଏ କଥା ଜାଣିବା ପରେ ଆଉ କାଳ ବିଳମ୍ୱ ନକରି ମିଲିଙ୍କ ବାହାଘର ପାଟକୁରା ଥାନା ବାମରା ଗ୍ରାମରେ କରାଇ ଦେଇଥିଲେ । ମିଲି କିନ୍ତୁ ଏ ବାହାଘରରେ ଖୁସି ନଥିଲେ ।

ତେଣୁ ବିବାହର ୧୫ ଦିନ ପରେ ଯୌତୁକ ନିର୍ଯାତନା ଆଳ ଦେଖାଇ ଶାଶୂଘରୁ ଲୁଚିକରି ଭୁବନେଶ୍ୱର ଯାଇ ପପୁଙ୍କୁ ଦେଖା କରିଥିଲେ । ପରେ ମିଲି ଓ ତାଙ୍କ ପ୍ରେମିକ ପପୁ ୨ ଜଣ ଯାକ ଗୁଜରାଟ ପଳାଇଯାଇ ସେଠାରେ ଭଡ଼ାଘରେ ରହିଥିଲେ । ପପୁ ସେଠାରେ ଏକ ସୂତା ମିଲ୍‌ରେ କାମକରି ଗୁଜୁରାଣ ମେଣ୍ଟାଉଥିଲେ । ମାମଲା ଥଣ୍ଡା ପଡୁଥିବା ଦେଖି ବର୍ଷକ ପରେ ପପୁ ଓ ମିଲି ପୁରୀ ଜିଲ୍ଲା ପିପିଲିରେ ଘରଭଡ଼ା ନେଇ ରହିଆସୁଥିଲେ । ପପୁ ଭୁବନେଶ୍ୱରରେ ଅଟୋ ଚଳାଇ ପରିବାର ପୋଷଣ କରୁଛନ୍ତି । ବର୍ତ୍ତମାନ ସେମାନଙ୍କର ୭ ବର୍ଷ ବୟସର ଏକ ପୁଅ, ୮ ମାସର ଏକ ଝିଅ ଅଛି ବୋଲି ମିଲି ବୟାନ ରଖିଛନ୍ତି । ତେବେ ଦୀର୍ଘ ୭ ବର୍ଷ ମଧ୍ୟରେ ମିଲି ସମାଗୋଳରେ ଥିବା ତାଙ୍କର ବାପଘର ଓ ପ୍ରେମିକ ପପୁଙ୍କର ବଡ଼ପଦା ଗ୍ରାମରେ ଥିବା ତାଙ୍କ ପରିବାର ସହିତ କୌଣସି ସମ୍ପର୍କରେ ନଥିବା ପୁଲିସ ଆଗରେ ଦୁହେଁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.