ଚରିତ୍ରକୁ ସଂଦେହ କରି ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିବା ସହ କଟା ମୁଣ୍ଡ ଧରି ସ୍ବାମୀ ଥାନାରେ ପହଞ୍ଚିବା ଘଟଣା: ମୃତ ମହିଳାଙ୍କ ଭାଇ କଲେ ଅଭିଯୋଗ, ଯୌତୁକ ପାଇଁ କରାଯାଇଛି ହତ୍ୟା

Published By : Prameya-News7 Bureau | August 26, 2019 IST

ଅସ୍ତରଙ୍ଗ୨୬|୮: ଚରିତ୍ର ସଂଦେହରେ ସ୍ତ୍ରୀର ମୁଣ୍ଡ ଓ ଗଣ୍ଡି ଅଲଗା କରିଦେବା ସହ ସ୍ତ୍ରୀର କଟା ମୁଣ୍ଡକୁ ଧରି ସ୍ବାମୀ ଥାନାରେ ପହଞ୍ଚିବା ଘଟଣାରେ ନୂଆ ମୋଡ ଆସିଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନୁହେଁ, ବରଂ ଯୌତୁକ ପାଇଁ ଅନ୍ନପୂର୍ଣ୍ଣାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ଭାଇ ପ୍ରଶାନ୍ତ କୁମାର ସାହୁ ଅସ୍ତରଙ୍ଗ ଥାନାରେ ଏ ନେଇ ବିଧିବଦ୍ଧଭାବେ ଲିଖିତ ଅଭିଯୋଗ କରିଛନ୍ତି । 

{"id":149066}

ପୋଲିସ ନିକଟରେ ଦାଖଲ ଲିଖିତ ଅଭିଯୋଗରେ ସେ କହିଛନ୍ତି ଯେ, ୮ ବର୍ଷ ତଳେ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଅଁ ଗାଁର ହାଡିବନ୍ଧୁଙ୍କ ପୁଅ ଗଣେଶ ବେହେରାଙ୍କ ସହ ତାଙ୍କ ଭଉଣୀ ଅନ୍ନପୂର୍ଣ୍ଣାଙ୍କ ବିବାହ ହୋଇଥିଲା । ବିବାହର ୫-୬ମାସ ପରଠୁ ଦେଢ ଲକ୍ଷ ଟଙ୍କା ଯୌତୂକ ଆଣିବା ପାଇଁ ଅନ୍ନପୂର୍ଣ୍ମାଙ୍କ ଉପରେ ସ୍ବାମୀ ଗଣେଶ ବେହୁା, ଶ୍ବଶୂର ହାଡିବନ୍ଧୁ ବେହୁରା, ଶାଶୂ, ୨ ଦେଢଶୁର ଏବଂ ଯାଆମାନେ ଚାପ ପକାଇ ଆସୁଥିଲେ ଓ ଏଥିପାଇଁ ନିର୍ଯ୍ୟାତନା ମଧ୍ୟ ଦେଇ ଆସୁଥିଲେ । ତେବେ ଅନ୍ନପୂର୍ଣ୍ଣା ସବୁ ସହିଯାଉଥିଲେ । ବାପ ଘରକୁ ଅସୁବିଧାରେ ପକାଇବାକୁ ଚାହୁଁ ନଥିଲେ ।

{"id":149067}

 ବିବାହର ୭ ବର୍ଷ ପରେ ଏକ ପୁତ୍ର ସନ୍ତାନର ଜନ୍ମ ହୋଇଥିଲା । ଏହି ସନ୍ତାନକୁ ଏବେ ବର୍ଷେ ୫ମାସ ହୋଇଛି । ତେବେ ପୁତ୍ର ସନ୍ତାନ ଜନ୍ମ ହେବାପରେ ନିର୍ଯ୍ୟାତନା ଆହୁରି ବଢଯାଇଥିଲା । ଏଥିପାଇଁ ଗତ କିଛିଦିନ ତଳେ ଅନ୍ନପୂର୍ଣ୍ଣା ନିଜ ବାପ ଘରକୁ ଚାଲିଯାଇଥିଲେ ।

{"id":149068}

ଅଗଷ୍ଟ ୧୯ତାରିଖ ଦିନ ଉଭୟ ପରିବାର ଭଦ୍ରଲୋକଙ୍କ ଉପସ୍ଥିତିରେ ସଭା କରି ଘଟଣାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ସଭାର ନିଷ୍ପତ୍ତି ଅନୁସାରେ ୨୧ ତାରିଖଦିନ ପ୍ରଶାନ୍ତ ନିଜ ଭଉଣୀ ଅନ୍ନପୂର୍ଣ୍ଣାଙ୍କୁ ଶ୍ବଶୁର ଘରେ ଛାଡି ଆସିଥିଲେ । ତେବେ ଗତକାଲି ଅର୍ଥାତ ରବିବାର ରାତି ୧୧ଟା ୫ମିନିଟରେ ସ୍ବାମୀ, ଶ୍ବଶୁର, ଶାଶୂ, ଦେଢଶୁର ଓ ଯାଆମାନେ ମିଶି ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରି ଗଣ୍ଡି ମୁଣ୍ଡ ଅଲଗା କରିଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ।

{"id":149069}

ସୂଚନାଯୋଗ୍ୟ ଯେ, ଅନ୍ନପୂର୍ଣ୍ଣାଙ୍କ ସ୍ବାମୀ ଗଣେଶ ବେହୁରା ଗତକାଲି ସ୍ତ୍ରୀକୁ ହତ୍ୟା କରିବା ପରେ କଟାମୁଣ୍ଡ ଧରି ଅସ୍ତରଙ୍ଗ ଥାନାରେ ପହଞ୍ଚିଥିଲେ । ଏହା ସମସ୍ତଙ୍କୁ ଚକିତ କରିଦେଇଥିଲା । ସ୍ତ୍ରୀ ପରପୁରୁଷ ସହ ସମ୍ପର୍କ ରଖୁଥିଲା ସେଥିପାଇଁ ସେ ତାର ବେକ କାଟି ଦେଇଛି ବୋଲି ପୋଲିସକୁ କହିଥିଲା ଗଣେଶ । ପୋଲିସ କଟା ମୁଣ୍ଡ ଜବତ କରିବା ସହ ଗଣେଶକୁ ଅଟକ ରଖି ତଦନ୍ତ ଚଳାଇଛି । ଅଭିଯୁକ୍ତ ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଆଗରେ ସ୍ବୀକାର କରିଛି । ପୋଲିସ ଗଣେଶକୁ ଅଟକ ରଖି ଘଟଣାର ଦନ୍ତ ଚଳାଇଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ଗଣେଶର ପରିବାର ଲୋକେ ଫେରାର ହୋଇଯାଇଛନ୍ତି ।  

{"id":149070}

ଖବର ନେବାରେ ଜଣାପଡିଛି ଯେ, ଅଭିଯୁକ୍ତ ଗଣେଶ ଚେନ୍ନାଇରେ କିଛି ବ୍ୟବସାୟ କରୁଥିଲା । ସାଙ୍ଗରେ ସ୍ତ୍ରୀ ଅନ୍ନପୂର୍ଣ୍ଣା ମଧ୍ୟ ରହୁଥିଲେ । ତେବେ କିଛିଦିନ ହେଲା ଉଭୟ ଚେନ୍ନାଇରୁ ଗାଁ କୁ ଫେରିଆସିଥିଲେ । ଗାଁରେ ରହୁଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଦିନ କଳି ଝଗଡା ଓ ମାର ପିଟ ହୋଇଆସୁଥିଲା ।

{"id":149071}

ମୁଖ୍ୟତଃ ଅନ୍ନପୂର୍ଣ୍ଣାଙ୍କ ଚରିତ୍ରକୁ କେନ୍ଦ୍ର କରି ଏଭଳି ଅଶାନ୍ତି ଲାଗି ରହିଥିଲା ବୋଲି ଅଭିଯୁକ୍ତ ଗଣେଶ ପୋଲିସକୁ କହିଛି ।  ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବା ଗତକାଲି ରାତିରେ ବିସ୍ଫୋରକ ରୂପ ନେଇଥିଲା । ଗଣେଶ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଅନ୍ନପୂର୍ଣ୍ଣାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଇଥିଲା । କେବଳ ସେତିକି ନୁହେଁ କଟାମୁଣ୍ଡକୁ ଏକ ବ୍ୟାଗରେ ପୂରାଇ ସାଇକଲ ଯୋଗେ ଦୀର୍ଘ ୮କିଲୋମିଟର ଦୂରରେ ଥିବା ଅସ୍ତରଙ୍ଗ ଥାନାରେ ପହଞ୍ଚିଥିଲା ।

{"id":149072}

ଥାନା ବାରଣ୍ଡାରେ କଟା ମୁଣ୍ଡଥିବା ବ୍ୟାଗଟିକୁ ରଖି ଦେଇ ଗଣେଶ ନିକଟସ୍ଥ ଏକ ନଳକୂଅରେ ଧୁଆ ଧୁଇ ହୋଇଥିଲା । କାରଣ ଗଣେଶର ଦେହ ସାରା ରକ୍ତ ଛିଟା ଲାଗିଥିଲା । ଏତିକି ବେଳେ ପୋଲିସ ପଚାରିଥିଲେ ଯେ, ଘଟଣା କଣ ଓ ସେ ବେଗରେ କଣ ରଖିଛି । ଗଣେଶ କହିଥିଲା ଯେ, ଆଜି ତାକୁ ଶାନ୍ତି ମିଳିଲା ଓ ସେ ନ୍ୟାୟ ପାଇଛି ।  ତାପରେ ସେ ପୋଲିସକୁ ବ୍ୟାଗରେ ଥିବା କଟା ମୁଣ୍ଡ ଦେଖାଇଥିଲା । ପୋଲିସ ଏହା ଦେଖି ଚମକି ପଡିଥିଲା । ଗଣେଶ ଠାରୁ କଟା ମୁଣ୍ଡଟି ଜବତ କରିବା ସହ ଗଣେଶକୁ ଅଟକ ରଖିଥିଲା ।

{"id":149073}

ଅନ୍ନପୂର୍ଣ୍ଣାଙ୍କ ଭାଇ ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ଆଜି ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପ୍ରଚାରିତ ହେବାପରେ ଅଭିଯୁକ୍ତ ଗଣେଶର ଘର ଆଗରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି । ସମଗ୍ର ଅଞ୍ଚଳ ସ୍ତବ୍ଜ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.