ମୃତ ଶ୍ରମିକଙ୍କ ପରିବାରକୁ ୧୫ବର୍ଷ ହେଲା ମିଳିଲାନି କ୍ଷତିପୂରଣ ରାଶି କି ସ୍ଥାୟୀ ନିଯୁକ୍ତି, ପ୍ରତିବାଦରେ ପରିବାର ପକ୍ଷରୁ ଧାରଣା

Published By : Prameya-News7 Bureau | May 16, 2019 IST

ଯୋଡା ୧୬|୫:  ଯୋଡା ବିଲେଇପଦା ସ୍ଥିତ ଟାଟା ସ୍ପଞ୍ଜ କାରଖାନାର ଜଣେ କର୍ଯ୍ୟରତ ଶ୍ରମିକର ମୃତ୍ୟୁ ଘଟଣାକୁ ୧୫ବର୍ଷ ବିତିଯାଇଥିଲେ ବି ପ୍ରତିଶୃତି ମୁତାବକ କ୍ଷତିପୂରଣ ରାଶି ଓ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ମିଳି ନ ଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆଣି ମୃତକଙ୍କ ପରିବାର ଆଜିଠାରୁ ଧାରଣାରେ ବସିଛନ୍ତି । କାରଖାନାର ମୁଖ୍ୟ ଫାଟକ ସାମ୍ନାରେ ମୃତକଙ୍କ ବିଧବା ପତ୍ନୀ, ପୁଅ ଓ ଦୁଇ ଝିଅ ଧାରଣାରେ ବସିଥିବାବେଳେ, ଶ୍ରମିକ ସଂଗଠନ ଏଆଇଟିୟୁସି ସେମାନଙ୍କୁ ସମର୍ଥନ ଜଣାଇଛି । ପ୍ରତିଶୃତି ମୁତାବକ କ୍ଷତିପୂରଣ ନ ମିଳିବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ପୀଡ଼ିତ ପରିବାର ।

{"id":112470}

ସୂଚନାଯୋଗ୍ୟ ଯେ, ଗତ ୨୦୦୪ ମସିହା ଅଗଷ୍ଟ ମାସରେ ଟାଟା ସ୍ପଞ୍ଜ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକ ମହାନ୍ତି କାରୁଆଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ସେତେବେଳେ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ରାଶି ଓ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ କାରଖାନା କର୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । ତେବେ ଏଥିପାଇଁ ମୃତକଙ୍କ ପରିବାର ଦୀର୍ଘ ୧୫ବର୍ଷ ଭିତରେ ବାରମ୍ବାର କାରଖାନା କର୍ତୃପକ୍ଷଙ୍କ ନିକଟକୁ ଏବଂ ସ୍ଥାନୀୟ ପ୍ରଶାସନର ଦ୍ବାରସ୍ଥ ହୋଇ ନୟାନ୍ତ ହୋଇଥିଲେ ବି କେହି କର୍ଣ୍ଣପାତ କଲେ ନାହିଁ । ଫଳରେ ବାଧ୍ୟ ହୋଇ ସେମାନେ ଧାରଣାରେ ବସିଥିବା ପ୍ରକାଶ କରିଛନ୍ତି ।  ଏନେଇ କାରଖାନା କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.