୪ଦିନ ହେଲା ଓଡିଶା ଫେରିପାରିନି କେରଳରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ମରଶରୀର ; ମୃତଦେହ ଫେରାଇଆଣିବାକୁ ପରିବାର ପକ୍ଷରୁ ନିବେଦନ

Published By : Prameya-News7 Bureau | October 09, 2018 IST

କନ୍ଧମାଳ ୯|୧୦:   କେରଳରେ ପ୍ରାଣ ହରାଇଥିବା କନ୍ଧମାଳର ଶ୍ରମିକଙ୍କ ମରଶରୀର ଏଯାଏଁ ଓଡିଶା ଫେରିପାରିନି । ମୃତ୍ୟୁ ଘଟଣାକୁ ୪ ଦିନ ବିତିଲାଣି । ଦାଦନ ଖଟିବାକୁ ଯାଇଥିବା ସନିଆଙ୍କ ମୃତ୍ୟୁ ପରେ ଦୁଃଖରେ  ଭାଙ୍ଗିପଡିଛନ୍ତି ପରିବାରଲୋକ । ଘରେ ଚୁଲି ଜଳୁନି । ମୃତଦେହ ଆସିବାକୁ ସମସ୍ତେ ଅପେକ୍ଷା କରିଥିବାବେଳେ ପ୍ରଶାସନ ଏ ଦିଗରେ କିଛି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଅର୍ଥ ଅଭାବରୁ ତାଙ୍କ ମୃତଦେହ ଗାଁକୁ ଆସିପାରୁନି । ସହାୟତା ପାଇଁ  ନ୍ୟୁଜ୍ ସେଭେନ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ସନିଆଙ୍କ ଭାଇ । ମୃତଦେହ ଫେରାଇ ଆଣିବା ସହ ପରିବାରକୁ ସହାୟତା ଯୋଗାଇଦେବାକୁ କ.ନୂଆଗାଁ ବିଡିଓ ମନୋଜ କୁମାର ତ୍ରିପାଠୀଙ୍କୁ ଦାବି ପତ୍ର ଦେଇଛନ୍ତି । ତୁରନ୍ତ ସନିଆଙ୍କ  ମୃତଦେହ ଆଣିବା ବ୍ୟବସ୍ଥା କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ପରିବାର ଓ ଗ୍ରାମବାସୀ । ସାରଂଗଡ ଥାନା  ଡବମାହା ଗାଁ ର ସନିଆ ବେହେରା ଗତ ପନ୍ଦର ଦିନ ତଳେ ଦାଦନ ଶ୍ରମିକ ଭାବରେ କାମ କରିବାକୁ କେରଳ ଯାଇଥିଲେ । ସେଠାରେ ତାଙ୍କର ଦେହ ଖରାପ ହେବାରୁ କଟାୟମ ସରକାରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.