ମରିଗଲାଣି ମାନବିକତା: ସ୍ୱାଭାବିକ ମୃତ୍ୟୁ ପରେ ବି ମାଆର ମୃତଦେହ ନେବାକୁ ମନା କଲା ପୁଅ, ରିକ୍ସାରେ ନିଆଗଲା ଶ୍ମଶାନ

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ୯/୪: କରୋନା ଭୟ ଯୋଗୁଁ ମଣିଷ ଅସମ୍ବେଦନଶୀଳ ହୋଇଗଲାଣି| ଯେଉଁଥିପାଇଁ ସମ୍ପର୍କ ମଧ୍ୟ ବଳି ପଡ଼ିଗଲାଣି | ଏଭଳି ସ୍ଥିତିରେ ନିଜ ପୁଅ ମାଆଙ୍କୁ ମଧ୍ୟ ବଳି ପକେଇ ଦେଇଛି | ଯୁବକଙ୍କ ୭୫ ବର୍ଷ ବୟସ୍କା ମା'ଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିଲା କିନ୍ତୁ ସେ ନିଜ ମାଆଙ୍କ ଶବ ନେବାକୁ ମନା କରିଦେଇଥିଲେ | ସେ ଭାବିଲେ ତାଙ୍କ ମାଆଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଛି | ଘଟଣା ପଞ୍ଜାବର କପୁରଥଲା ଜିଲ୍ଲା ଆରସିଏଫ ନିକଟରେ ଘଟିଛି |

ମାମଲା ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆସିବା ପରେ ତହସିଲଦାର ମନବିର ସିଂହ ଢିଲୋ, ପଟବାରି ସରବଜୀତ ସିଂହଙ୍କ ସହ ସେଠାରେ ପହଞ୍ଚି ଯୁବକଙ୍କୁ ବୁଝାଇଥିଲେ | ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ଯୁବକଙ୍କୁ ବୁଝାଇଥିଲେ ଏବଂ ନିଜ ମା'ଙ୍କ ଶେଷକୃତ୍ୟ କରିବା ପାଇଁ ତାଙ୍କୁ ରାଜି କରାଇଥିଲେ | ଏହାପରେ କୌଣସି ପ୍ରକାରେ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା ଏବଂ ଦାହ ସଂସ୍କାର କରାଯାଇଥିଲା | ଶବକୁ ଏକ ରିକ୍ସାରେ ଶ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା | କଥା ଦୋକାନ ଖୋଲି ଡିଜେଲ ସାହାଯ୍ୟରେ ଦାହ ସଂସ୍କାର କରାଯାଇଥିଲା | ଦାହ ସଂସ୍କାର ପାଇଁ ହୋଇଥିବା ଖର୍ଚ୍ଚ ସେଠାରେ ଉପସ୍ଥିତ ଅଧିକାରୀ ବହନ କରିଥିଲେ |

ବେବେ ନାନକୀ ରୋଡ଼ ସ୍ଥିତ ଆରସିଏଫ ନିକଟସ୍ଥ ଏକ ବସ୍ତିରେ ରାମୁ ନାମକ ଜଣେ ଯୁବକ ରୁହନ୍ତି | କର୍ଫ୍ୟୁର ଦୁଇଦିନ ପୂର୍ବରୁ ତାଙ୍କ ମା' ମଙ୍ଗଳି ଦେବୀ ମୁକ୍ତସରର ବଡିଙ୍ଗ ଗାଁରୁ ଆସି ତାଙ୍କ ସହ ରହିଥିଲେ | ଅଚାନକ ତାଙ୍କର ମୃତ୍ୟୁ ହୋଇଗଲା | କିନ୍ତୁ ରାମୁ ମଙ୍ଗଳି ଦେବୀଙ୍କ ଅନ୍ତିମ ସଂସ୍କାର କରିବା ଛାଡି ପରିବାର ଛାଡି ଏପଟେ ସେପଟେ ଚାଲିଗଲା| ମହିଳାଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଥିବା ସନ୍ଦେହ କରି ସମ୍ପର୍କୀୟ ମଧ୍ୟ ଦୁରେଇ ଗଲେ |

ମାମଲା ସମ୍ପର୍କରେ ସୂଚନା ପାଇବାପରେ ତହସିଲଦାର ମନବିର ସିଂହ କହିଛନ୍ତି ଯେ, ମହିଳାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା | କିନ୍ତୁ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଶବ ପାଖକୁ ମଧ୍ୟ ଯାଇନଥିଲେ | ସ୍ୱାସ୍ଥ୍ୟ ଅଧିକାରୀ ଡ.ରାଜୀବ ଭଗତଙ୍କୁ ଡାକିବାରୁ ସେ ଆମ୍ବୁଲାନ୍ସ ମଗେଇବ ପାଇଁ ମନା କରିଦେଲେ | ପୋଲିସକୁ କହିଲା ପରେ ସେମାନେ ମଧ୍ୟ ଅରାଜି ହେଲେ | ଏସବୁ ଦେଖି ସେମାନେ ଏକ ରିକ୍ସା ସାହାଯ୍ୟରେ ମୃତକଙ୍କ ଶବ ସ୍ମଶାନ ପର୍ଯ୍ୟନ୍ତ ନେଇଯାଇଥିଲେ | ନିଜ ହାତରୁ ୭ ହଜାର ଟଙ୍କା ଖର୍ଚ୍ଚ କରି ପୁଅ ଦ୍ୱାରା ମା'ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ | ତେବେ ସବୁଠାରୁ ଦୁଃଖର କଥା ହେଲା ଭୟାବହ ମହାମାରୀ କରୋନା ଯୋଗୁଁ ମାନବିକତା ମଧ୍ୟ ମରିଗଲାଣି | ତେଣୁ ଏହି ମହାମାରୀକୁ ସମ୍ପୂର୍ଣ ନଷ୍ଟ କରିବା ନିହାତି ଆବଶ୍ୟକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.