ପଶ୍ଚିମବଙ୍ଗ: ଅନ୍ତ୍ୟେଷ୍ଟି କ୍ରିୟା ଅଶୌଚ ଶେଷ ହେବା ପୂର୍ବରୁ ଘରକୁ ଫେରିଲେ ମୃତ ଘୋଷିତ Covid ଆକ୍ରାନ୍ତ

Published By : Prameya-News7 Bureau | November 22, 2020 IST

ଚବିଶ ପ୍ରଗଣା ୨୨।୧୧: ପଶ୍ଚିମବଙ୍ଗ  ୨୪ପ୍ରଗଣାରେ ଘଟିଛି ଅଭାବନୀୟ ଘଟଣା। ହସ୍ପିଟାଲ ପକ୍ଷରୁ ମୃତ ଘୋଷିତ ଜନୈକ କରୋନା ଆକ୍ରାନ୍ତ ବ୍ୟକ୍ତି ତାଙ୍କ ଅନ୍ତ୍ୟେଷ୍ଟି ଅଶୌଚ ଶେଷ ହେବା ପୂର୍ବରୁ ଘରକୁ ଫେରିଛନ୍ତି। ଘଟଣା ଉତ୍ତର କୋଲକାତାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ବ୍ୟକ୍ତି ଘରକୁ ଫେରିବାପରେ ପ୍ରଶାସନ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗଙ୍କ ସୂଚନା ଅନୁସାରେ କରୋନା ପଜିଟିଭ ଚିହ୍ନଟ ଶିବଦାସ ବାନାର୍ଜୀ ଓ ମୋହିନୀ ମୋହନ ମୁଖାର୍ଜୀ କୋଭିଡ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଲାଗି ନଭେମ୍ବର ୪ ତାରିଖ ଦିନ ୨୪ପ୍ରଗଣା ଜିଲ୍ଲା ଶ୍ରୀବଳରାମ ସେବା ମନ୍ଦିରରେ ଆଡମିଟ୍ ହୋଇଥିଲେ। ତେବେ ନଭେମ୍ବର ୭ ତାରିଖ ଦିନ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରାସାତ କଦମ୍ବଗାଛି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସ୍ଥାନାନ୍ତରଣ କାଳରେ ମୁଖାର୍ଜୀଙ୍କ ସହ ତାଙ୍କର ସମସ୍ତ କାଗଜପତ୍ର ପଠାଇ ଦିଆଯାଇଥିଲା। ତେବେ କର୍ମଚାରୀଙ୍କ ତ୍ରୁଟି ଯୋଗୁ ମୁଖାର୍ଜୀଙ୍କ କାଗଜପତ୍ର ବଦଳେ ବାନାର୍ଜୀଙ୍କ କାଗଜପତ୍ର ବାରାସାତ କଦମ୍ବଗାଛି ହସ୍ପିଟାଲରୁ ଚାଲିଯାଇଥିଲା।

ଚିକିତ୍ସିତ ହେଉଥିବା ବେଳେ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ ସହ ତାଙ୍କର ପରଲୋକ ହୋଇଥିଲା। ଏଣୁ ତାଙ୍କ କାଗଜପତ୍ର ମୁତାବକ କଦମ୍ବ ଗାଛି ହସ୍ପିଟାଲ ବାନାର୍ଜୀଙ୍କ ଘରକୁ ଟେଲିଫୋନ ଯୋଗେ କୋଭିଡରେ ତାଙ୍କର ପରଲୋକ ହୋଇଥିବା ସୂଚିତ କରିବା ସହ ଅନ୍ତ୍ୟେଷ୍ଟି ଲାଗି ଅନୁମତି ନେଇ ଦାହ ସଂସ୍କାର କରିଥିଲେ। ସେପଟେ ପରିବାର ଲୋକେ ଘରେ ଅଶୌଚ ପାଳନ ପୂର୍ବକ ବିଧିବିଧାନରେ ଅନ୍ତ୍ୟେଷ୍ଟି କରିଥିଲେ। ତେବେ ଅନ୍ତ୍ୟେଷ୍ଟି ଶେଷ ହେବାର ଦିନକ ପୂର୍ବରୁ ବାନାର୍ଜୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିଲେ।

ସେପଟେ ବାନାର୍ଜୀ ସୁସ୍ଥ ହେବା ଦିନ ହସ୍ପିଟାଲ କର୍ତ୍ତୃପକ୍ଷ ମୁଖାର୍ଜୀଙ୍କ ପରିବାରକୁ ଫୋନ କରି ତାଙ୍କୁ ହସ୍ପିଟାଲରୁ ଡିଶ୍ଚାର୍ଜ କରାଯାଉଥିବା ସୂଚିତ କରିଥିଲେ। ସେହି ଅନୁସାରେ ମୁଖାର୍ଜୀଙ୍କ ପରିବାର ଲୋକେ ତାଙ୍କୁ ନେବାକୁ ହସ୍ପିଟାଲ ଆସିବା ବେଳେ ଘଟଣା ଜଣାପଡିଥିଲା। ସେମାନେ  ବାନାର୍ଜୀଙ୍କୁ ନୁହେଁ ମୁଖାର୍ଜୀଙ୍କୁ ଡିଶ୍ଚାର୍ଜ କରିବାକୁ ଦାବି କରିଥିଲେ। ତେବେ କାଗଜପତ୍ରରେ ହସ୍ପିଟାଲ କର୍ତ୍ତୃପକ୍ଷ ଯାହାକୁ ମୁଖାର୍ଜୀ ବୋଲି କହୁଥିଲେ ସେ କିନ୍ତୁ ବାସ୍ତବରେ ବାନାର୍ଜୀ ଥିଲେ। ଏଣୁ ମାମଲାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।

ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ମାମଲାର ତଦନ୍ତ ଲାଗି ୪ ସଦସୀୟ କମିଟି ଗଠନ କରିଥିବା ବେଳେ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି। ମାମଲାରେ ୨ ନର୍ସିଂ ଷ୍ଟାଫ, ଜଣେ ନର୍ସ ପ୍ରଭାରୀ ଓ ଜଣେ ଡାକ୍ତରଙ୍କୁ ସୋକଜ୍ ନୋଟିସ୍ ଜାରି କରାଯାଇଛି। ତେବେ ରୋଗୀଙ୍କ ସ୍ଥାନାନ୍ତରଣ ବେଳେ ଭୁଲ କାଗଜପତ୍ର ସ୍ଥାନାନ୍ତରଣ ଯୋଗୁ ରୋଗୀ ଭୁଲ ଚିକିତ୍ସାରେ ପ୍ରାଣ ହରାଇଥିବା ମୁଖାର୍ଜୀଙ୍କ ପୁଅ ସୁଦୀପ ମୁଖାର୍ଜୀ ଅଭିଯୋଗ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.