ଅନରକିଲିଂ ! ଜଙ୍ଗଲ ଭିତରୁ ମିଳିଲା ଯୁବକ ଓ ଯୁବତୀଙ୍କ ମୃତଦେହ

Published By : Prameya-News7 Bureau | February 14, 2019 IST

କେନ୍ଦୁଝର ୧୪|୨:  କେନ୍ଦୁଝରରେ ଅନରକିଲିଂ ଅଭିଯୋଗ ହୋଇଛି । ଜଙ୍ଗଲ ଭିତରୁ ମିଳିଲା ଯୁବକ ଓ ଯୁବତୀଙ୍କ ମୃତଦେହ । ସେମାନଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି ନା ଆତ୍ମହତ୍ୟା କରିଛନ୍ତି ସେ ନେଇ ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ପଣ୍ଡାପଡା ଥାନା ହାତୀଶିଳା ଜଙ୍ଗଲରୁ ୨ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଜାଳେଣି ଆଣିବାକୁ ଜଙ୍ଗଲକୁ ଯାଇଥିବା ବେଳେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଯୁବକ ଜଣଙ୍କ ବିବାହିତ ହୋଇଥିବାବେଳେ ଯୁବତୀ ଅବିବାହିତ ଅଟନ୍ତି । ଯୁବକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ହାତୀଶିଳା ଭୂୟାଁ ସାହିର ମଙ୍ଗୁଳୁ ସନଙ୍ଗୀ । ତାଙ୍କ ବୟସ ୩୦ ବର୍ଷ ହେବ । ମୃତ ଯୁବତୀ ହେଲେ, ବାୟାକୁମୁଟିଆ ଗ୍ରାମ ପଞ୍ଚାୟତ ମୁଣ୍ଡୁଳା ଗାଁର ସେପିରି ନାଏକ ।

ମିଳିଥିବା ସୂଚନା ଅନୁସାରେ, ମଙ୍ଗୁଳୁ ନିକଟସ୍ଥ ମୁଣ୍ଡଳା ଗାଁର ସେପିରିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯୁବକ ଜଣଙ୍କ ପୂର୍ବରୁ ଦୁଇଥର ବିବାହ କରିଥିବାବେଳେ ଘରେ ଦୁଇ ପତ୍ନୀ ଓ ୫ଟି ସନ୍ତାନ ଅଛନ୍ତି । ଗତ ୩ ତାରିଖରୁ ଉଭୟଙ୍କ କୌଣସି ଖୋଜଖବର ମିଳୁନଥିଲା । ୧୦ ଦିନ ପରେ ନିକଟସ୍ଥ ହାତୀଶିଳା ଜଙ୍ଗଲରେ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପଣ୍ଡାପଡ଼ା ପୋଲିସ ପହଞ୍ଚି ଶବ ଜବତ କରିଛି। ପୂର୍ବରୁ ଦୁଇଥର ବିବାହ କରିବା ପରେ ମଧ୍ୟ ପୁଣି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ଉଭୟଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ କୀଟନାଶକ ବିଷ ବୋତଲ ମିଳିଛି। ଏହାସହ ମୃତ ଲୁଲୁଙ୍କ ଘରୁ ଏକ ହାତଲେଖା ଚିଠି ମିଳିଛି, ଯେଉଁଥିରେ ମୋତେ ଆଉ ଖୋଜିବ ନାହିଁ ବୋଲି ଲେଖାହୋଇଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି  ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.