ମୃତ୍ୟୁ ପରେ ମଧ୍ୟ କରୋନା ଭୟ : ୧୮ଘଣ୍ଟା ପରେ ମୃତଦେହକୁ ମିଳିଲା ଦୁଇ ଗଜ ଜାଗା

Published By : Prameya-News7 Bureau | April 13, 2020 IST

ରାଞ୍ଚି ୧୩/୪: କରୋନା ଭାଇରସର ଆତଙ୍କ ଯୋଗୁଁ ମୃତ୍ୟୁ ପରେ ମଧ୍ୟ ଦୁଇ ଗଜ ଜାଗା ପାଇଁ ୧୮ଘଣ୍ଟା ଯାଏଁ ଶବକୁ ନିଷ୍ଠୁରତା ସହିବାକୁ ପଡ଼ିଥିଲା। ପାଖାପାଖି ୧୮ଘଣ୍ଟା ଉଦ୍ୟମ କରିବା ପରେ ନିଜ ଘରେ ମାଟି ମିଳିଥିଲା। ରାଞ୍ଚିର ହିନ୍ଦପୀଢ଼ି ବାସିନ୍ଦା କରୋନା ସଂକ୍ରମିତ ୬୦ବର୍ଷ ବୟସ୍କ ବାସିନ୍ଦାଙ୍କ ଶବ ପୋତିବାକୁ ନେଇ ରବିବାର ଦିନସାରା ବହୁତ ଉତ୍ତେଜନା ହୋଇଥିଲା। ବହୁତ ସମୟ ପରେ ମୃତକଙ୍କୁ ହିନ୍ଦପୀଢ଼ିର ନିଜାମ୍ ନଗରର ବଚ୍ଚା କବରରେ ରାତି ୨.୩୦ରେ ପୋତାଯାଇଥିଲା।

  ରବିବାର ସକାଳ ୮ଟାବେଳେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତିରେ ଶବକୁ କବରରେ ପୋତାଯାଇଥିଲା। ଏହା ପୂର୍ବରୁ ଶବ ପୂରା ଦିନ ରିମ୍ସ ପରିସରରେ ଥିବା ଆମ୍ବୁଲାନ୍ସରେ ପଡ଼ି ରହିଥିଲା। ପ୍ରଶାସନ ସକାଳୁ କବର ଖୋଳିବାରେ ଲାଗିଥିଲା। ବିରୋଧ ଯୋଗୁଁ ଶବକୁ ପୋତାଯିବରେ ବିଳମ୍ବ ହୋଇଥିଲା। ଶେଷରେ ଶବକୁ ଚତୁର୍ଥ କବରରେ ଦୁଇ ଗଜ ଜାଗା ମିଳିଥିଲା।

ମୃତକ ପାଇଁ ସର୍ବପ୍ରଥମେ ବରିୟାତୁ ସ୍ଥିତ କବରରେ କବର ଖୋଳାଯାଇଥିଲା। ସେହି କବରକୁ ଛୋଟ କହି ରାତୁ ରୋଡ କବରରେ ପୋତାଯିବାର ନିଷ୍ପତ୍ତି ନିଆଯାଇଥିଲା। ଏପଟେ ରାତୁ ରୋଡ କବର ପାଖରେ ରହୁଥିବା କିଛି ସ୍ଥାନୀୟ ଲୋକ ଏହାର ବିରୋଧ କରିବା ଆରମ୍ଭ କରି ଦେଇଥିଲେ। ସେଠାରେ ମଧ୍ୟ କବର ଖୋଳାଯାଇଥିଲା। ପୂରା ଦିନ ଅଲଗା ଅଲଗା କବର ଆଖପାଖରେ ଉତ୍ତେଜନା ଏବଂ ବିରୋଧ ହୋଇଥିଲା। ବିଳମ୍ବିତ ରାତିରେ ପୋଲିସ୍ ଶବକୁ ଜୁମାର ପୋଲ ପାଖରେ ମଧ୍ୟ ପୋତିବାକୁ ଉଦ୍ୟମ କରିଥିଲା। କିନ୍ତୁ ସେଠାରେ ମଧ୍ୟ ବିରୋଧ କାରଣରୁ ଫେରିବାକୁ ପଡ଼ିଥିଲା। ଏହା ପରେ ହିନ୍ଦପୀଢ଼ି ସ୍ଥିତ ବଚ୍ଚା କବରରେ ଶବକୁ ପୋତାଯାଇଥିଲା। ମୃତକଙ୍କ ଘର ମଧ୍ୟ ସେଠାରେ ଥିଲା। ସେଠାକାର ଲୋକ ଆଗକୁ ଆସିଥିଲେ ଏବଂ ଶବ ପୋତିବାକୁ ରାଜି ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.