‘ତିତଲି’ ବାତ୍ୟା ପରେ ଗଜପତିରେ ନିଖୋଜ ଥିବା ଶୁକ୍ରୁ ଦଳାଇଙ୍କ ମୃତଦେହ ଉଦ୍ଧାର
Published By : Prameya-News7 Bureau | October 21, 2018 IST
ଗଜପତି ୨୧|୧୦: ‘ତିତଲି’ ବାତ୍ୟା ପରେ ନିଖୋଜ ଥିବା ଗଜପତି ଜିଲ୍ଲା ରାମଗିରି ଥାନା ଅନଗାଁ ପଞ୍ଚାୟତ ବଡିହର ଗାଁ ଦଳେଇସାହିର ଶୁକ୍ରୁ ଦଳାଇଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୂୟାଁପଡା ନିକଟ ଏକ ନାଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମେଡିକାଲ ପଠାଇଛି ପୋଲିସ ।
ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ ସନ୍ଧ୍ୟାରେ ବଡିହର ଗାଁର ଶୁକ୍ରୁ ଦଳାଇ ଓ ପୁନି ବେହେରା ରାମଗିରିରୁ ଗାଁକୁ ଫେରୁଥିଲେ ଏହି ସମୟରେ ତିତଲି ପ୍ରଭାବରେ ବର୍ଷା ଓ ପବନ ହୋଇଥିଲା । ହଠାତ୍ ପାହାଡ ଉପରୁ ମାଟି ଅତଡା ଖସି ଯିବାରୁ ଦୁଇ ଜଣ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି ପରେ ରାମଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗ୍ରାମବାସୀଙ୍କ ସାହାଯ୍ୟରେ ପାହାଡରେ ଖୋଜାଖୋଜି କରିଥିଲା । ଗତ ୧୬ ତାରିଖରେ ପୁନି ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମାତ୍ର ଶୁକ୍ରୁଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ପାହାଡରେ ନାଳପାଣି ଶୁଖିବା ପରେ ଶୁକ୍ରୁଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପୋଲିସ ଗତକାଲି ସନ୍ଧ୍ୟାରେ ନାଳରୁ ମୃତଦେହ ଉଦ୍ଧାର କରିଛି ।