ଚାରିକାନ୍ଧ ଦେବାକୁ ନଥିଲେ କେହି, ୨୪ଘଣ୍ଟା ଧରି ମେଡିକାଲରେ ଶବ ପଡିଲା ପରେ ହେଲା ସତ୍କାର

Published By : Prameya-News7 Bureau | October 17, 2019 IST

ନୂଆପଡା ୧୭|୧୦: ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ଘଣ୍ଟା ଧରି ପଡି ରହିଲା ଶବ । ପରିଜନ ତଥା ଦାବିଦାରଙ୍କୁ ଅପେକ୍ଷା କରି କରି ଶେଷରେ ପୋଲିସର ହସ୍ତକ୍ଷେପ ପରେ ନୂଆପଡା ଜିଲ୍ଲା ପଲସିପାଣି ପଞ୍ଚାୟତ ନିର୍ବାହି ଅଧିକାରୀ ଓ ଜନ ପ୍ରତିନିଧିଙ୍କ ସହାୟତାରେ ଶବ ସତ୍କାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଲସିପାଣି ପଞ୍ଚାୟତର କାଶିପଲା ଗ୍ରାମରେ ଦୀର୍ଘ ଚାଳିଶ ବର୍ଷ ହେବ କୁଲି ମଜୁରି କରି ପେଟ ପୋଷୁଥିଲେ ଗଣେଶ ସାହୁ । ନିଜର ବୋଲି କେହି ନାହାନ୍ତି । ୩ ବର୍ଷ ହେବ କୌଣସି ରୋଗରେ ସ୍ତ୍ରୀର ଦେହାନ୍ତ ହେବା ପରେ ଏକାକି ରହୁଥିଲେ । ପଞ୍ଚାୟତ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳୁଥିବା ବେଳେ ମାଗି ଜାଚି ଚଳୁଥିଲେ ।

କିଛି ବର୍ଷ ହେବ କିଡନୀ ଜନିତ ରୋଗରେ ପୀଡିତ ଥିଲେ । ପାଖ ପଡୋଶୀଙ୍କ ଠାରୁ ଯାହା ସାହାଯ୍ୟ ପାଉଥିଲେ ସେଥିରେ ଚିକିତ୍ସିତ ହେଉଥିଲେ । ରୋଗ ବଢି ବଢି ଗୁରୁତର ହେବାପରେ ସମିତି ସଭ୍ୟ ଗଙ୍ଗାରାମ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଶବ ସତ୍କାର ପାଇଁ ତଥା ଚାରିକାନ୍ଧ ଦେବାପାଇଁ କେହି ଆସି ନଥିଲେ । ତେବେ ଦାବିଦାର ନପାଇ ଶେଷରେ ନୂଆପଡା ଟାଉନ ଥାନା ଅଧିକାରୀ ଆଦିତ୍ୟ ମହାକୁରଙ୍କ ଉଦ୍ୟମରେ ପଲସିପାଣି ପଞ୍ଚାୟତ କର୍ମୀଙ୍କ ସହାୟତାରେ ଆଜି ଜୋଙ୍କ ନଦୀଠାରେ ଗଣେଶଙ୍କ ଶବ ସତ୍କାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.