ଡିସିପିଙ୍କ ସଙ୍ଗୀନ ତଥ୍ୟ : ନାବାଳିକା ଗଣଦୁଷ୍କର୍ମରେ ଜଣେ ପୋଲିସ ଅଫିସର ଓ ସହଯୋଗୀ, ସିକ୍ୟୁରିଟି ଗାର୍ଡଙ୍କ ସହ ବୈଦୁତିକ ଗଣମାଧ୍ୟମର କର୍ମଚାରୀ

Published By : Prameya-News7 Bureau | September 05, 2020 IST

ଭୁବନେଶ୍ୱର ୫।୯:  ବନ୍ଧୁକ ଦେଖାଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ! ଏପରି ଅଭିଯୋଗ ହୋଇଛି ଭୁବନେଶ୍ୱର ମହିଳାଥାନାରେ। ମାମଲାରେ ଭୁବନେଶ୍ୱର DCP ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଅଗଷ୍ଟ ୩୦ତାରିଖରେ  ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ମହିଳା ଥାନାରେ ଏନେଇ ମାମଲା ରୁଜୁ ହୋଇଛି ।

ଏହି ମାମଲାରେ ରାଜଧାନୀର ଏକ ବୈଦୁତିକ ଗଣମାଧ୍ୟମର ଦୁଇ କର୍ମଚାରୀ, ଦୁଇଜଣ ସିକ୍ୟୁରିଟି ଗାର୍ଡ , ଜଣେ ପୋଲିସ ଅଧିକାରୀ ଓ ତାଙ୍କର ଦୁଇ ସହଯୋଗୀଙ୍କର ମଧ୍ୟ ସମ୍ପୃକ୍ତି ଥିବା ଡିସିପି କହିଛନ୍ତି । ମାମଲାରେ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଘଟଣାକୁ IUCAWକୁ ସ୍ଥାନାନ୍ତର କରାଯାଇଛି ।

ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ଭୁବନେଶ୍ୱର ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି । ନାବାଳିକାଙ୍କ ଘର ଇନଫୋସିଟି ଥାନା ଅଞ୍ଚଳରେ ବୋଲି ପୋଲିସ ସୂଚନାରୁ ଜଣାପଡିଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ନିଜେ ମାମଲାର ତଦାରଖ କରୁଛନ୍ତି ।

ମହିଳା ଥାନା ପୋଲିସ ପୀଡିତା ନାବାଳିକାଙ୍କର ଡାକ୍ତରୀ ମାଇନା କରିବା ସହ ସିଆରପିସି ଧାରା -୧୬୧ ଅନୁସାରେ ପୀଡିତାଙ୍କ ବୟାନ ରେକର୍ଡ କରାଇଛି । ସେପଟେ ଘଟଣା ସମ୍ପର୍କରେ ଏତଲା ପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଶିଶୁ ସୁରକ୍ଷା ସମିତିକୁ ଚିଠି ଲେଖିଛନ୍ତି ଚାଇଲ୍ଡ ଲାଇନ ।

ସେପଟେ ପୋଲିସ ବିରୋଧରେ ଅଭିଯୋଗ ହୋଇଥିବାରୁ ସ୍ୱାଧୀନ ତଦନ୍ତ ପାଇଁ ଅପିଲ କରାଯାଇଛି । ପୀଡିତାଙ୍କୁ ସୁରକ୍ଷା, ପରାମର୍ଶ ଯୋଗାଇ ଦେବେ ଚାଇଲ୍ଡ ଲାଇନ । ଅନ୍ୟପଟେ ସିଆରପିସି ଧାରା -୧୬୪ ଅନୁସାରେ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡିତା ନାବାଳିକାଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.