ଯୋଗୀଙ୍କ ନିଆରା ପ୍ରଶଂସକ: ‘ଦ ଡନ୍‌’ର ସମ୍ପାଦକଙ୍କ ଟ୍ୱିଟ୍‌- ଇମ୍ରାନଙ୍କ ତୁଳନାରେ ୟୁପି ମୁଖ୍ୟମନ୍ତ୍ରୀଙ୍କ କାମ ବହୁତ ଭଲ

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୦୯।୦୬: ଲଙ୍କାରେ ହରି ଶବ୍ଧ । ସର୍ବଦା ଭାରତ ବିରୋଧରେ ବିଷ ଓଗାଲୁଥିବା ପାକିସ୍ତାନୀ ମିଡିଆ ଏବେ ଭାରତର ଜଣେ ନେତାଙ୍କୁ ପ୍ରଶଂସା କରୁଛନ୍ତି । ଯାହାକି ବହୁତ କମ୍‌ ଦେଖାଯାଇଥାଏ । କିନ୍ତୁ ଏ କଥାଟି ସତ । ପାକିସ୍ତାନର ଇଂରାଜୀ ଖବରକାଗଜ ‘ଦ ଡନ୍‌’ର ସମ୍ପାଦକ ଫହାଦ୍‌ ହୁସେନ୍‌ କରୋନା ମୁକାବିଲା କ୍ଷେତ୍ରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଠୋର ହିନ୍ଦୁତ୍ୱ ଚେହେରାକୁ ସଦାସର୍ବଦା ପାକିସ୍ତାନରେ ଆଲୋଚନା ହେଉଥାଏ । ଖାସ୍‌ କରି ପାକିସ୍ତାନୀ ମିଡିଆରେ ଖୁବ୍‌ ଚର୍ଚ୍ଚା ହୋଇଥାଏ । ସାରାଦେଶରେ ଖ୍ୟାତିନାମା ଖବରକାଗଜ ‘ଦ ଡନ୍‌’ର ସମ୍ପାଦକ ଟୁଇଟରରେ ଯୋଗୀ ଏବଂ ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକୁ ତୁଳନା କରିଛନ୍ତି । କରୋନା ମୁକାବିଲା କ୍ଷେତ୍ରରେ ଇମ୍ରାନ ସରକାରଙ୍କ ତୁଳନାରେ ଯୋଗୀଙ୍କ କାର୍ଯ୍ୟ ଉତ୍ତମ ରହିଥିବା ସେ ଟୁଇଟ୍‌ କରି କହିଛନ୍ତି ।

ଫହାଦ୍‌ ଏକ ଗ୍ରାଫକୁ ଟୁଇଟ୍‌ କରି କହିଛନ୍ତି ଯେ, ପାକିସ୍ତାନର କିଲୋମିଟର ପିଛା ଜନସଂଖ୍ୟା ଘନତ୍ୱ ଉତ୍ତର ପ୍ରଦେଶଠାରୁ କମ୍‌ ଏବଂ ବ୍ୟକ୍ତି ପିଛା ଆୟ ଅଧିକ । ଉତ୍ତର ପ୍ରଦେଶରେ ଲକ୍‌ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଇଛି । କିନ୍ତୁ ପାକିସ୍ତାନରେ ଲକ୍‌ଡାଉନ୍‌ ନିୟମକୁ ଆଦୌ କଡାକଡି ପାଳନ କରାଯାଇନାହିଁ । ଉତ୍ତର ପ୍ରଦେଶ ଏବଂ ପାକିସ୍ତାନରେ ମୃତ୍ୟୁ ହାର ମଧ୍ୟରେ ଥିବା ଅନ୍ତରକୁ ମଧ୍ୟ ଏହି ଟୁଇଟ୍‌ରେ ସ୍ଥାନିତ କରିଛନ୍ତି ଡନ୍‌ ସମ୍ପାଦକ । ପାକିସ୍ତାନର ଜନସଂଖ୍ୟା ୨୦.୮୦ କୋଟି ଥିବାବେଳେ ଉତ୍ତର ପ୍ରଦେଶର ଜନସଂଖ୍ୟା ୨୨.୫୦ କୋଟି । କିନ୍ତୁ ପାକିସ୍ତାନ ତୁଳନାରେ ଏଠାରେ ମୃତ୍ୟୁ ହାର କମ୍‌ ବୋଲି ଉକ୍ତ ଟୁଇଟ୍‌ରେ ପ୍ରକାଶ କରାଯାଇଛି ।

ଫହାଦ୍‌ ମହାରାଷ୍ଟ୍ରର ବି ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ଉତ୍ତର ପ୍ରଦେଶରେ ମୃତ୍ୟୁହାର ପାକିସ୍ତାନଠାରୁ କମ୍‌ ଥିବାବେଳେ ମହାରାଷ୍ଟ୍ରରେ ଅଧିକ ରହିଛି । ମହାରାଷ୍ଟ୍ରରେ ବ୍ୟକ୍ତି ପିଛା ଆୟ ପାକିସ୍ତାନ ତୁଳନାରେ ଅଧିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.