ମାଳଦ୍ଵୀପରେ ଅଷ୍ଟ୍ରେଲିଆ ଖେଳାଳିଙ୍କଠୁ କିଛି ଦୂରରେ ଖସିଥିଲା ଚୀନର ଅନିୟନ୍ତ୍ରିତ ରକେଟ୍, ଘଟଣା ବିଷୟରେ ବଖାଣିଲେ ଡେଭିଡ୍ ଓ୍ଵାର୍ଣ୍ଣର

Published By : Prameya-News7 Bureau | May 11, 2021 IST

ନୂଆଦିଲ୍ଲୀ ୧୧।୦୫: ଆଇପିଏଲ୍ ୨୦୨୧ ସ୍ଥଗିତ ରହିବା ପରେ ଅଷ୍ଟ୍ରେଲିଆ ଖେଳାଳି ନିଜ ଦେଶରେ କଟକଣା କାରଣରୁ ନିଜ ଦେଶକୁ ଫେରି ପାରି ନାହାନ୍ତି। ସଂପ୍ରତି ଖେଳାଳିମାନେ ମାଳଦ୍ଵୀପର ରିସର୍ଟରେ କ୍ଵାରେଣ୍ଟିନରେ ଅଛନ୍ତି। ହେଲେ ଅଷ୍ଟ୍ରେଲିଆ ଖେଳାଳି ଏକ ଘଟଣା କାରଣରୁ ଭୟଭୀତ ହୋଇ ପଡିଥିଲେ। ସେମାନଙ୍କ ଡରିବାର କାରଣ କରୋନା ନଥିଲା ବରଂ ଚୀନର ଅନିୟନ୍ତ୍ରି ରକେଟ୍  ଲଙ୍ଗ ମାର୍ଚ୍ଚ-ବି ଥିଲା। ଏହି ରକେଟ୍‌ର ଭଗ୍ନାବଶେଷ ମାଳଦ୍ଵୀପ ନିକଟରେ ଭାରତ ମହାସାଗରରେ ଖସିଥିଲା। ବଡ କଥା ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ରକେଟ୍‌ର ଅଧିକାଂଶ ଅଂଶ ଜଳି ଯାଇଥିଲା। ଏହି କାରଣରୁ କୌଣସି ବଡ ଧରଣର କ୍ଷତି ଘଟିନଥିଲା।

ରକେଟ୍  ଯେଉଁଠି ଖସିଥିଲା, ସେଠାରୁ କିଛି ଦୂରରେ ଥିବା ରିସର୍ଟରେ ଅଷ୍ଟ୍ରେଲିଆ ଖେଳାଳି ଓ ସଦସ୍ୟ ରହିଛନ୍ତି।  ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ସହିତ ଅନେକ ଖେଳାଳି ରକେଟ୍ ଖସିବାର ଶବ୍ଦ ଶୁଣିଥିଲେ। ସେମାନଙ୍କୁ ଲାଗିଥିଲା ଯେ, କୌଣସି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ଡରି ଯାଇଥିଲେ।

ସେ 'ଦ ଅଷ୍ଟ୍ରେଲିଆନ' ସହ ଆଲୋଚନା ବେଳେ ଏହି ଘଟଣାର ଉଲ୍ଲେଖ କରି କହିଛନ୍ତି, ଆମେ ରିସର୍ଟରେ ଗଭୀର ନିଦରେ ଶୋଇଥିବା ବେଳେ ସକାଳ ପ୍ରାୟ ୫ଟା ୩୦ରେ ଏକ ବଡ ଧରଣର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏଥିରେ ଆମେ ଭୟଭୀତ  ହୋଇ ପଡିଥିଲୁ। ବିଶେଷଜ୍ଞ ଜଣାଇଲେ ଯେ, ଏହି ବିସ୍ଫୋରଣ ରକେଟ୍‌ ବାୟୁମଣ୍ଡଳରେ ପ୍ରବେଶ କରିବା କାରଣରୁ  ହୋଇଥିଲା। ଏହି କାରଣରୁ ଜୋରରେ ଶବ୍ଦ ହୋଇଥିଲା।

କିଛି ଲୋକ ଏହି ଘଟଣାର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ। ଏହାର ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଏଥିରେ ଉଲକାପିଣ୍ଡ ପରି କିଛି ବସ୍ତୁ ପୃଥିବୀ ପୃଷ୍ଠ ଆଡକୁ ଖସୁଥିବା ଦେଖିବାକୁ ମିଳିଛି।

wp:html /wp:html

ଓ୍ଵାର୍ଣ୍ଣରଙ୍କ ସହିତ ଅଷ୍ଟ୍ରେଲିଆର ୩୭ ଖେଳାଳି, ସପୋର୍ଟ ଷ୍ଟାଫ ଓ ଅମ୍ପାୟର ବର୍ତ୍ତମାନ ମାଳଦ୍ଵୀପରେ କ୍ଵାରେଣ୍ଟିନରେ ଅଛନ୍ତି। ଲିଗ୍ ସ୍ଥଗିତ  ହେବା ପରେ ବିସିସିଆଇ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ସୁରକ୍ଷିତ ମାଳଦ୍ଵୀପ ପହଞ୍ଚାଇବାରେ ସମସ୍ତ ବନ୍ଦୋବସ୍ତ କରିଥିଲା। ଭାରତରେ ବଢୁଥିବା କରୋନା ସଂକ୍ରମଣ କାରଣରୁ ଏଠାରୁ ଆସୁଥିବା ନିଜର ନାଗରିକଙ୍କ ପ୍ରବେଶ ଉପରେ ଅଷ୍ଟ୍ରେଲିଆ ସରକାର କଟକଣା ଲଗାଇଛନ୍ତି। ଏହାର ଉଲ୍ଲଂଘନ କଲେ ୬୬ ହଜାର ଜରିମାନା ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପ୍ରାବଧାନ କରାଯାଇଛି।

ସୂଚନାଯୋଗ୍ୟ, ଚୀନର ଅନିୟନ୍ତ୍ରିତ ରକେଟ୍ ନା କୌଣସି କ୍ଷତି ପହଞ୍ଚାଇ ଭାରତ ମହାସାଗରରେ ମାଳଦ୍ଵୀପ ନିକଟରେ ଖସି ପଡିଛି। ଏକ ସପ୍ତାହ ହେବ ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଥିବା ଚୀନର ଏହି ରକେଟ୍ ଭାରତ ମହାସାଗରରେ ଖସିବା ପରେ ଅନେକ ଦେଶ ଆଶ୍ଵସ୍ତି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ଆଖପାଖ କୌଣସି ଦ୍ଵୀପରେ ଖସିବା ନେଇ ଆଶଙ୍କା କରାଯାଉଥିଲା। ଏପରିକି ଏହା କୌଣସି ସମୟରେ ପୃଥିବୀ ପୃଷ୍ଠରେ ଖସିପାରେ  ବୋଲି ବୈଜ୍ଞାନିକ କହୁଥିଲେ। ସୌଭାଗ୍ୟର କଥା ରକେଟ୍‌ର ଭଗ୍ନାବଶେଷ କାହାରି କୌଣସି କ୍ଷତି କରି ନାହିଁ। ଭାରତୀୟ ସମୟ ଅନୁସାରେ, ମେ ୯ ତାରିଖ ରବିବାର ସକାଳ ପ୍ରାୟ ୮ଟାରେ ରକେଟ୍ ଭାରତ ମହାସାଗରରେ ଖସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.