ହାଇଦ୍ରାବାଦ ଛାଡିଲେ ଡେଭିଡ୍ ଓ୍ଵାର୍ଣ୍ଣର, ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡିବା ପରେ କଲେ ଭାବୁକ ପୋଷ୍ଟ

Published By : Prameya-News7 Bureau | October 08, 2021 IST

ଆବୁଧାବି ୦୮।୧୦: ସନରାଇଜର୍ସ ହାଇଦ୍ରାବାଦକୁ ବାଏ ବାଏ କଲେ ଓପନିଂ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର। ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଦଳରୁ ବାହାରିବା ପରେ ଓ୍ଵାର୍ଣ୍ଣର ଏହି ଭାବୁକ ପୋଷ୍ଟ କରିଛନ୍ତି।  ଓ୍ଵାର୍ଣ୍ଣର ଏହି ସିଜିନର ଆରମ୍ଭରେ ଦଳର ଅଧିନାୟକ ଥିଲେ। ମାତ୍ର ଖରାପ ଫର୍ମ କାରଣରୁ ତାଙ୍କଠୁ ଅଧିନାୟକ ପଦ କାଢି ନିଆଯାଇଥଲା। ପରେ ଦଳରୁ ମଧ୍ୟ ବାଦ୍ ଦିଆଗଲା। ସେ ୨୦୧୬ରେ ଦଳକୁ ନିଜ ଦମ୍‌ରେ ଚାମ୍ପିଅନ କରାଇଥିଲେ। ହେଲେ ଚଳିତ ସିଜିନ୍‌ର ଦ୍ଵିତୀୟ ପର୍ଯ୍ୟାୟରେ ଓ୍ଵାର୍ଣ୍ଣରଙ୍କୁ ଖେଳିବାକୁ ସୁଯୋଗ ଦିଆଗଲା ନାହିଁ। ଏହା ପରେ ହାଇଦ୍ରାବାଦ ଛାଡିବାକୁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି ଓ୍ଵାର୍ଣ୍ଣର।

ଓ୍ଵାର୍ଣ୍ଣର ଇନଷ୍ଟାଗ୍ରାମରେ ହାତ ଯୋଡି ଏକ ଫଟୋ ସେୟାର କରିଛନ୍ତି। ଏଥିସହ ଲେଖିଛନ୍ତି ମୁହୂର୍ତ୍ତକୁ ସ୍ମରଣୀୟ କରିଥିବାରୁ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ। ଆପଣ ଆମ ପାଇଁ ଉର୍ଜାର ସବୁଠୁ ବଡ ସ୍ରୋତ। ଯାହା ଖେଳାଳିଙ୍କୁ ସବୁ କିଛି ଦେବାକୁ ପ୍ରେରିତ କରିଛି। ଏହି ପୂରା ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ଏହା ବହୁତ ଭଲ ଯାତ୍ରା ରହିଲା। ମୋତେ ଏବଂ ମୋର ପରିବାରଙ୍କୁ ଆପଣ ସମସ୍ତଙ୍କର ବହୁତ ମନେ ପଡିବ।

ଖରାପ ବ୍ୟବହାରର ଶିକାର ହେଲେ ଓ୍ଵାର୍ଣ୍ଣର

ଆଇପିଏଲ ୨୦୨୧ରେ ଦଳର ଖରାପ ପ୍ରଦର୍ଶନ ପରେ ହାଇଦ୍ରାବାଦ ପ୍ରବନ୍ଧକ ଓ୍ଵାର୍ଣ୍ଣରଙ୍କ ସହ ଖରାପ ବ୍ୟବହାର କରିଥିଲେ। ଏହି ସିଜିନର ଷଷ୍ଠ ମ୍ୟାଚ୍‌ରେ ତାଙ୍କଠୁ ଅଧିନାୟକ ଦାୟିତ୍ଵ ଛଡାଇ ନିଆଯାଇଥିଲା ଏବଂ କେନ ଓ୍ଵିଲିୟମସନଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଥିଲା। ଏହାପରେ ଦ୍ଵିତୀୟ ସିଜିନରେ  ସେ ଫ୍ଲପ୍ ହେବା ପରେ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା। ଶେଷ ମ୍ୟାଚ୍‌ରେ ଓ୍ଵିଲିୟମସନ ବାହାରେ ରହିବା ପରେ ମନୀଷ ପାଣ୍ଡେଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଥିଲା। ଏହା ଦେଖି ହାଇଦ୍ରାବାଦଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ  ଡେଭିଡ୍ ଓ୍ଵାର୍ଣ୍ଣର।

ଡେଭିଡ୍ ଓ୍ଵାର୍ଣ୍ଣର ଆଇପିଏଲର ସବୁଠୁ ସଫଳ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଜଣେ। ସେ କେବଳ ୧୫୦ ଇନିଂସରେ ୫୪୪୯ ରନ କରିଛନ୍ତି। ଏହି ମାମଲାରେ ସେ ପଞ୍ଚମ ସ୍ଥାନରେ ଅଛନ୍ତି। ବ୍ୟାଟିଂ ହାର ୪୧.୫୯ ରହିଥିବା  ବେଳେ ଷ୍ଟ୍ରାଇକ ରେଟ୍ ୧୩୯.୯୬ ରହିଛି। ଆଇପିଏଲରେ ୨୦୦୦ରୁ ଅଧିକ ରନ କରିଥିବା ବ୍ୟାଟସମ୍ୟାନଙ୍କ ମଧ୍ୟରେ ଓ୍ଵାର୍ଣ୍ଣରଙ୍କ ହାର ସବୁଠୁ ଭଲ ରହିଛି। ଓ୍ଵାର୍ଣ୍ଣର ହାଇଦ୍ରାବାଦ ପକ୍ଷରୁ ୬୫ ଟି ମ୍ୟାଚ୍‌ରେ ୪୦୧୪ ରନ କରିଛନ୍ତି। ଏହି ସମୟରେ ବ୍ୟାଟିଂହାର ୪୯.୫୫ ରହିଛି। ଆଇପିଏଲରେ ଚାରି ଶତକ ଏବଂ ୫୦ ଅର୍ଦ୍ଧଶତକ ସାମିଲ୍।

ଆଇପିଏଲରେ ଲଗାତାର ୬ ସିଜିନ୍‌ରେ ୫୦୦ରୁ ଅଧିକ ରନ କରିଥିବା ପ୍ରଥମ ବ୍ୟାଟସମ୍ୟାନ

ଡେଭିଡ୍ ଓ୍ଵାର୍ଣ୍ଣର ଆଇପିଏଲରେ ଲଗାତାର ଛଅ ସିଜିନ୍ ସୁଦ୍ଧା ୫୦୦୦ରୁ ଅଧିକ ରନ କରିଛନ୍ତି। ଏହି ସଫଳତା  ହାସଲ କରିବାରେ ସେ ପ୍ରଥମ ବ୍ୟାଟସମ୍ୟାନ। ସେ ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରତିଟି ସିଜିନରେ ୫୦୦ରୁ ଅଧିକ ରନ କରିଥିଲେ। ଏହା ସତ୍ତ୍ଵେ୨୦୨୧ରେ ଖରାପ ଫର୍ମ ଦେଇ ସଂଘର୍ଷ କରିଥିଲେ। ଦଳ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.