ସମଲିଙ୍ଗୀ ସଂପର୍କ ରଖୁଥିଲେ ଝିଅ, ଲୋକଲଜ୍ଜା ପାଇଁ ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କଲେ ବାପା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

Published By : Prameya-News7 Bureau | September 13, 2019 IST

ନୂଆଦିଲ୍ଲୀ୧୩|୯: ଝିଅର ସମଲିଙ୍ଗୀ ସଂପର୍କ କଥା ଜାଣିବା ପରେ ବାପା ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ଏହିଭଳି ଅଭାବନୀୟ ଘଟଣା ନୂଆଦିଲ୍ଲୀର ଶାହଦରାର ଫର୍ଶ ଅଞ୍ଚଳରେ ଦେଖିବାକୁ ମଳିଛି। ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିଛି।ଯୁବତୀଙ୍କ ବାପା କାହିଁକି ଆତ୍ମହତ୍ୟା କଲେ ଏନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା।ଶେଷରେ ଆତ୍ମହତ୍ୟାର ପ୍ରକୃତ କାରଣ ପୋଲିସ ଖୋଜି ପାଇଥିଲା।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଗତ ଗୁରୁବାର ରାତିରେ ଏକ ଫୋନ କଲ ଆସିଥିଲା। ଜଣେ ବ୍ୟକ୍ତି ନିଜ ପେଟରେ ଗୁଳିମାରି ରକ୍ତରେ ଜୁଡୁବୁଡ଼ୁ ହୋଇ ତାଙ୍କ ଘରେ ପଡିଥିବା କଥା ପୋଲିସକୁ ସୂଚନା ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ଯୁବତୀଙ୍କ ବାପାଙ୍କ ମୃତ୍ୟୁ ହୋଇ ସାରିଥିଲା।ଘଟଣାସ୍ଥଳରେ ମୃତ ବ୍ୟକ୍ତିଙ୍କ ଶବ ପାଖରେ ତାଙ୍କ ଝିଅ ବେହୋସ ହୋଇ  ପଡିଥିବା କଥା ପୋଲିସ କହିଛି ।

ସୂଚନାଯୋଗ୍ୟ ଯେ, ମୃତ ବ୍ୟକ୍ତିଙ୍କ ଝିଅ ବିବାହ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ତାଙ୍କ ବାପାଙ୍କୁ ମନାକରି ଦେଇଥିଲେ।ତାଙ୍କ ମହିଳା ବନ୍ଧୁଙ୍କ ସହ ସେ ଏକାଠି ରହିବା ପାଇଁ ଚାହୁଁଥିଲେ।ଏହି  କଥାକୁ ନେଇ ଉଭୟ ବାପ ଓ ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଯୁବତୀଙ୍କ ବାପା ଘରୁ ୨୦ ମିନିଟ ପାଇଁ ବାହାରକୁ ଚାଲି ଯାଇଥିଲେ।ତାଙ୍କ ପତ୍ନୀ ଓ ଝିଅ ରାତିରେ ଶୋଇବା ପାଇଁ ଚାଲିଯିବା ପରେ ସେ ପୁଣି  ଘରକୁ ଫେରିଥିଲେ। ତାଙ୍କ ଶୋଇବା ଘର ଭିତର ପଟୁ କବାଟ ବନ୍ଦ କରିଦେଇ ନିଜ ପେଟରେ ଗୁଳି ମାରି ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ କହିଛି।

 ଏହି ଘଟଣାରେ ଆର୍ମସ୍‌ ଆକ୍ଟର ଧାରା ୨୫/୨୭/୫୪/୫୯ରେ ଫର୍ଶ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି।ଘଟଣା ସଂପର୍କରେ ଯୁବତୀଙ୍କ ସଂପର୍କୀୟ କହିଥିଲେ ଯେ, ତାଙ୍କ ଝିଅ ସମଲିଙ୍ଗୀ ସଂପର୍କ ରଖିଥିବାରୁ ଏହିଭଳି ଘଟଣା ଘଟିଛି। ଯୁବତୀ ତାଙ୍କ ମହିଳା ବନ୍ଧୁଙ୍କ ସହ ଏକାଠି ରହିବା ପାଇଁ ଜିଦ୍‌ କରୁଥିଲେ। ହେଲେ ତାଙ୍କ ବାପା ଏହି ସଂପର୍କକୁ ବାରମ୍ବାର ବିରୋଧ କରି ଆସୁଥିଲେ।ଝିଅର ଜିଦ୍‌ ପାଇଁ ତାଙ୍କ ବାପା ଆତ୍ମହତ୍ୟା କରିଥିବା କଥା ତାଙ୍କ ସଂପର୍କୀୟ କହିଛନ୍ତି।ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ସୁପ୍ରିମ କୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ।ଆଇପିସି ଧାରା ୩୭୭କୁ ହଟାଇ ସମଲିଙ୍ଗୀ ସଂପର୍କ ରଖିବା ଅପରାଧ ନୁହେଁ ବୋଲି ସୁପ୍ରିମ କୋର୍ଟ ରାୟ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.