କରୋନା ସଂକ୍ରମିତ ବାପାଙ୍କୁ ପାଣି ଦେଉଥିଲା ଝିଅ, ଅଟକାଇଲେ ମା’ : ଛଟପଟ ହୋଇ ଚାଲିଗଲା ଜୀବନ

Published By : Prameya-News7 Bureau | May 05, 2021 IST

ଶ୍ରୀକାକୁଲମ୍ ୫।୫: ଦେଶରେ କରୋନା ଭାଇରସ୍ ର ଦ୍ବିତୀୟ ଲହର କାୟା ବିସ୍ତାର କରିଚାଲିଛି । ଏଭଳି ପରିସ୍ଥିତିରେ ଏମିତି ଘଟଣାମାନ ସାମ୍ନାକୁ ଆସିଛି ଯାହା ଆପଣଙ୍କ ମନକୁ ଆନ୍ଦୋଳିତ କରିବ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗଛି, ଯେଉଁଥିରେ ଝିଅଟି ତାର କୋଭିଡ୍ ପଜିଟିଭ୍ ବାପାଙ୍କୁ ପାଣି ପିଇବାକୁ ଦେବାକୁ ଚେଷ୍ଟା କରୁଛି ଆଉ ସେହି ସମୟରେ ମା' ଅଟକାଇ ଦେଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଝିଅଟି ଯେତେବେଳେ ତାର କୋଭିଡ୍ ସଂକ୍ରମିତ ବାପାଙ୍କୁ ପାଣି ଦେବାକୁ ଚେଷ୍ଟା କରୁଛି ସେହି ସମୟରେ ତାର ମା ତାକୁ ଅଟକାଉଛନ୍ତି । ଏହାପରେ ଝିଅଟି ଜୋରରେ କାନ୍ଦିବାକୁ ଲାଗୁଛି । ବାପାଙ୍କ ଯୋଗୁଁ କାଳେ ତାଙ୍କ ଝିଅକୁ କରୋନା ହୋଇୟିବ ସେଥିପାଇଁ ମା ଭୟ କରୁଥିଲେ ।

ପାଣି ମୁନ୍ଦାଏ ନପାଇ ବ୍ୟକ୍ତି ଜଣଙ୍କ ତଳେ ପଡିଯାଇଥିଲେ । ଏହାପରେ ଝିଅ ବାପାଙ୍କୁ ପାଣି ଦେଇଥିଲେ । ତେବେ ସେହି ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ବେଡ୍ ଟିଏ ମଧ୍ୟ ନଥିଲା । ପରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ବ୍ୟକ୍ତିଙ୍କ ସାରା ପରିବାର ଏବେ କରୋନା ସଂକ୍ରମିତ ।

ଉଲ୍ଲେଖଯୋଗ୍ୟ ଯେ, ୫୦ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ବିଜୟଓ୍ବାଡା ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ । କରୋନା ସଂକ୍ରମିତ ହେବା ପରେ ବ୍ୟକ୍ତି ଜଣଙ୍କ ନିଜ ଗାଁ ଶ୍ରୀକାକୁଲମ୍ ପଳାଇଆସିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ଗାଁ ବାହାରେ ଏକ ଝୋପଡିରେ ରହିବାକୁ ବାଧ୍ୟ କରାଯାଇଥିଲା । ଏହି ଭିଡିଓଟିକୁ ଜଣେ ଗ୍ରାମବାସୀ ଶୁଟ୍ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.