ଆମ୍ବୁଲାନ୍ସ ନ ମିଳିବାରୁ ମା'କୁ ପିଠିରେ ବସାଇ ୩ କିଲୋମିଟର ଚାଲିଚାଲି ହସ୍ପିଟାଲ ନେଇଗଲା ଝିଅ, ଫେରିଲା ବେଳେ ବି ଦିଆଗଲାନି ଆମ୍ବୁଲାନ୍ସ

Published By : Prameya-News7 Bureau | June 13, 2021 IST

ଗୋପାଳଗଞ୍ଜ ୧୩/୦୬ : ଆଜିକା ସମାଜରେ ଝିଅମାନେ ପୁଅମାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ଝିଅ ବି ଯଦି ଗୋଟିଏ କାମ କରିବାକୁ ସଂକଳ୍ପବଦ୍ଧ ତାହେଲେ ଭଗବାନ ନିଜେ ତା ପାଇଁ ସବୁ ରାସ୍ତା ଖୋଲି ଦିଅନ୍ତି । ଗୋପାଳଗଞ୍ଜର ସୁରୱାଲ ଗାଁର ଉମରାବତୀ ଏହା ପ୍ରମାଣ କରିଛନ୍ତି। ଗତ ଶୁକ୍ରବାର ସନ୍ଧ୍ୟାରେ ଉମରାବତୀ ନିଜ ମା’ଙ୍କୁ କାନ୍ଧରେ ବସାଇ ତିନି କିଲୋମିଟର ଚାଲି ଚାଲି ଡାକ୍ତରଖାନାକୁ ନେଇ ଯାଇଥିଲେ। ଝିଅ ନିଜ ମା ପାଇଁ ଏହା କରି ଶ୍ରବଣ କୁମାରଙ୍କ ଭଳି ପୁତ୍ର ହେବାର କର୍ତ୍ତବ୍ୟ ପାଳନ କରିଛି | ଅପରପକ୍ଷରେ ଏହି ଦୃଶ୍ୟ ବିହାରର ସ୍ୱାସ୍ଥ୍ୟ ବିଭାଗ ମୁହଁରେ ଚାପୁଡ଼ା ମାରିଛି ।

ଉମରାବତୀଙ୍କ ମା ବାଚିଆ ଦେବୀ ଅସୁସ୍ଥ ଥିଲେ ଓ ତାଙ୍କୁ ହସ୍ପିଟାଲ ନେବା ଅତ୍ୟନ୍ତ ଜରୁରୀ ଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ଆମ୍ବୁଲାନ୍ସ ମିଳିନଥିଲା । ଉମରାବତୀ ଅନେକ ଗାଡି ଡ୍ରାଇଭରଙ୍କ ସହ ମଧ୍ୟ କଥା ହୋଇଥିଲେ କିନ୍ତୁ କେହି ବି ତାଙ୍କୁ ହସ୍ପିଟାଲ ନେବାକୁ ରାଜି ହୋଇନଥିଲେ। ଶେଷରେ ସେ ନିଜେ ତାଙ୍କ ପିଠିରେ ମା'ଙ୍କୁ ବସାଇ ତିନି କିଲୋମିଟର ଚାଲି ଚାଲି ହସ୍ପିଟାଲରେ ପହଞ୍ଚାଇଥିଲେ ।

ଝିଅ ନିଜ ମା’ଙ୍କୁ ପିଠିରେ ବସାଇ ଚାଲି ଚାଲି ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ଲଜ୍ଜାଜନକ କଥା ହେଲା ଫେରିବା ସମୟରେ ମଧ୍ୟ ତାଙ୍କୁ ଆମ୍ବୁଲାନ୍ସ ଦିଆଯାଇନଥିଲା । ଏଠାରେ ହସ୍ପିଟାଲର ଅବହେଳା ଓ ଦାୟିତ୍ବହୀନତା କେତେ ତାହା ସାମ୍ନାକୁ ଆସିଥିଲା । ସେ ପୁଣି ଫେରିଲାବେଳେ ମା'ଙ୍କୁ ପିଠିରେ ବସାଇ ୩ କିଲୋମିଟର ଚାଲିଚାଲି ଆସିଥିଲେ । ସ୍ୱାସ୍ଥ୍ୟ ବିଭାଗର ଏହି ଅବହେଳାକୁ ବର୍ତ୍ତମାନ ସବୁଆଡେ ସମାଲୋଚନା କରାଯାଉଛି । ଏଥି ସହିତ ଉମରାବତୀଙ୍କ ସାହସକୁ ପ୍ରଶଂସା କରାଯାଉଛି ।

ଉମରାବତୀ କହିଛନ୍ତି ଯେ ତାଙ୍କ ପିତା ସାଧୁ ବିନ୍ଦଙ୍କର ମୃତ୍ୟୁ ହୋଇସାରିଛି । ତାଙ୍କର କୌଣସି ଭାଇ ନାହାଁନ୍ତି । ସେଥିପାଇଁ ସେ ନିଜ ମା’ଙ୍କ ଯତ୍ନ ନେବା ପାଇଁ ନିଜ ମା ଘରେ ରୁହନ୍ତି । ଘରେ ରୋଜଗାର କରୁଥିବା ସଦସ୍ୟ କେହି ନ ଥିବାରୁ ଆର୍ଥିକ ସଙ୍କଟ ମଧ୍ୟରେ ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେ କହିଛନ୍ତି ଯେ ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ। ସେଥିପାଇଁ ତାଙ୍କୁ ସରକାରୀ ହସ୍ପିଟାଲରେ ମା'ଙ୍କ ଚିକିତ୍ସା କରିବାକୁ ପଡିଥାଏ ।
ଏହି ପରିପ୍ରେକ୍ଷୀରେ ଗୋପାଳଗଞ୍ଜର ସିଭିଲ ସର୍ଜନ ଡକ୍ଟର ଯୋଗେନ୍ଦ୍ର ମହତୋ କହିଛନ୍ତି ଯେ ସେ ମଧ୍ୟ ଏହି ଭିଡିଓ ଦେଖିଛନ୍ତି । ଏହି ମାମଲାରେ ଭୁଲ କେଉଁଠୁ ହୋଇଛି ତାର ଯାଞ୍ଚ ଚାଲିଛି । ଏହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.