Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ମା’ ମୁହଁ ଦେଖିବିନି, ତା ସହ ରହିବିନି : ବଦଳିଗଲା ସ୍ୱାମୀ ହତ୍ୟାକାରୀର ପରିଚୟ

28/05/2020 at 11:40 AM

କଟକ ୨୮।୦୫ : ଝିଅର ଆଖି ସାମ୍ନାରେ ତା’ ବାପାଙ୍କୁ ହତ୍ୟା କରାଯାଇଥିଲା । ନିଜ ପ୍ରେମିକ ସହ ମିଶି ହତ୍ୟାକାଣ୍ଡ ଘଟାଇଥିଲା ମା’ । ଏହି ହତ୍ୟା ମାମଲାର ଶୁଣାଣି କରି ଅଦାଲତ ଆସାମୀ ମା’କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏବେ ମା’ କିନ୍ତୁ ଝିଅର ଲାଳନପାଳନ କରିବା ଆଳ ଦେଖାଇ ହାଇକୋର୍ଟରେ ଜାମିନ୍‌ ପାଇଁ ଆବେଦନ କରିଥିଲା । ଅନାଥାଶ୍ରମରେ ରହୁଥିବା ଝିଅଟି ପ୍ରକୃତରେ ହଇରାଣ ହେଉଛି କି’ ନାହିଁ ତାହା ଜାଣିବା ପାଇଁ ହାଇକୋର୍ଟ ଅନୁଗୁଳ ଜିଲ୍ଲାପାଳଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଝିଅଟି ଯେଉଁ ଜବାବ ରଖିଛି ସେଥିରେ ତା’ ମା’ ପ୍ରତି ତା’ ଅନ୍ତରରେ କେତେ ଘୃଣା ଭରି ରହିଛି ତାହା ସ୍ପଷ୍ଟ ବାରି ହୋଇପଡିଛି ।

ଏପରିକି ସେ ନିଜ ମା’ର ମୁହଁ ଦେଖିବାକୁ ଚାହେନି ବୋଲି ସିଧାସଳଖ ଶୁଣାଇ ଦେଇଛି । ଏହି ମର୍ମରେ ଜବାବ ହାଇକୋର୍ଟରେ ଦାଖଲ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଏବଂ ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରିଣୀ ସେବତୀ ସାହୁ କରିଥିବା ଜାମିନ୍‌ ଆବେଦନକୁ ଖାରଜ କରିଛନ୍ତି । ଅନୁଗୁଳର ସେବତୀ ସାହୁଙ୍କର ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା । ଏହାକୁ ନେଇ ସେବତୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ବିବାଦ ଉପୁଜୁଥିଲା । ବିବାଦ ଥରେ ଉଗ୍ର ରୂପ ନେବା ପରେ ଉକ୍ତ ଯୁବକ ସହ ମିଶି ସେବତୀ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିଲା । ହତ୍ୟାକାଣ୍ଡର ଏକମାତ୍ର ସାକ୍ଷୀ ରହିଥିଲା ସେବତୀର ଝିଅ । ମାମଲାର ବିଚାର କରି ନିମ୍ନ ଅଦାଲତ ସେବତୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସେବତୀ ଜେଲ୍‌କୁ ଆସିବା ପରେ ଝିଅ ଅନୁଗୁଳର ଏକ ଅନାଥଶ୍ରମରେ ରହି ଆସୁଛି ।

ଲକ୍‌ଡାଉନ୍‌ ସମୟରେ ଝିଅକୁ ସେଠାରେ ଚଳିବାରେ ଅସୁବିଧା ହେଉଥିବା ଆଳ ଦର୍ଶାଇ ସେବତୀ ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ପ୍ରକୃତ କାରଣ ବୁଝି ଜବାବ ରଖିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଗୁଳ ଜିଲ୍ଲାପାଳ ଜବାବ ରଖି ଦର୍ଶାଇଥିଲେ ଯେ ଅନାଥାଶ୍ରମରେ ହିଁ ଝିଅଟି ରହି ପଢ଼ିବାକୁ ଚାହୁଛି । ମା’ ନାଁ ଉଚ୍ଚାରଣ କରିବାକୁ କି ମା’କୁ ଦେଖା କରିବାକୁ ଅନିଚ୍ଛା ପ୍ରକାଶ କରୁଛି । ସେ ଜଣେ ଭଲ ଛାତ୍ରୀ । ଉକ୍ତ ଶିଶୁ ଶିକ୍ଷାନୁଷ୍ଠାନରେ ସେ ସୁସ୍ଥ ଓ ଭଲରେ ରହିଛି । ଏହି ଜବାବ ଭିତ୍ତିରେ ମା’ ସେବତୀର ଜାମିନ୍‌ ଆବେଦନକୁ ଖଣ୍ଡପୀଠ ଖାରଜ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଜନ୍ମେଜୟ କଟକିଆ ପରିଚାଳନା କରୁଥିଲେ ।

   Related Posts