ବାପା ନା କଂସେଇ : ନା ମାନେ ନା

Published By : Prameya-News7 Bureau | July 28, 2018 IST

ଟଙ୍କା ପାଇଁ ତୁଛ ହେଲା ରକ୍ତ ସମ୍ପର୍କ । ମାତ୍ର ୧୮ ହଜାର ଟଙ୍କା ପାଇଁ ନିଜ ଝିଅକୁ ମାରିଦେଲା ବାପା । ଆଉ ହାତୀ ମାରିଦେଇଛି କହି ୪୦ ହଜାର ଟଙ୍କାର ଚେକ୍ ଓ ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ମଧ୍ୟ ନେଇଯାଇଛି ନିଷ୍ଠୁର ବାପା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ଚାରିଘରିଆ ଆଦିବାସୀ ବସ୍ତିରେ । ଗତ ୧୯ ତାରିଖ ଦିନ ଆଦିବାସୀ ବସ୍ତିର ମୀନା ସିଂଙ୍କ ମୃତଦେହ ପଞ୍ଚଭାୟା ଜଙ୍ଗଲ ମଧ୍ୟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା । ହାତୀ ଦଳି ଦେଇଛି କହି ପରିବାର ଲୋକେ ଟାଙ୍ଗୀ-କପିଲାସ ରାସ୍ତା ଅବରୋଧ କରିଥିଲେ । ଜଙ୍ଗଲ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କା ଓ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା କ୍ଷତିପୂରଣ ମିଳିବା ପରେ ରାସ୍ତା ରୋକ ହଟିଥିଲା । ସେପଟେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମୀନାଙ୍କ ମୃତଦେହକୁ SCB ପଠାଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କ ମିଛ ଧରାପଡିଯାଇଥିଲା । ପରିବାରର ୬ଜଣଙ୍କୁ ଅଟକ ରଖି ପୋଲିସ ଜେରା କରିବା ପରେ ୧୮ ହଜାର ଟଙ୍କା ପାଇଁ ଝିଅ ମୀନା ସିଂଙ୍କୁ ମାରିଦେଇଥିବା ପୋଲିସ ଆଗରେ ସ୍ବୀକାର କରିଛି ବାପା ଜୟା ସିଂ । ପୋଲିସ ହତ୍ୟା ବ୍ୟବହୃତ କଟୁରୀ, ରକ୍ତଭିଜା ମାଟି, କାନଫୁଲ, ଚପଲ ଓ ରକ୍ତଭିଜା ପୋଷାକ ଜବତ କରିଛି । ବାପା ଜୟା ସିଂ, ସହଯୋଗ କରିଥିବା ଦାଦା ଦମ୍ବା ସିଂ ଓ ତଥ୍ୟ ଲୁଚାଇଥିବାରୁ ପୁତୁରା ଦିଲ୍ଲୀପ ସିଂହକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.