କରୋନା ସଂକ୍ରମିତ ଶ୍ବଶୁରଙ୍କୁ କାନ୍ଧରେ ପକାଇ ଚାଲି ଚାଲି ହସ୍ପିଟାଲକୁ ଆଣିଲେ, ପୁଅର ଅନୁପସ୍ଥିତିରେ ଦାୟିତ୍ୱ ତୁଲାଇଲେ ବୋହୂ : ଛୁଟୁଛି ପ୍ରଶଂସାର ସୁଅ

Published By : Prameya-News7 Bureau | June 04, 2021 IST

ଗୌହାଟୀ ୦୪/ ୦୬ : ଭାରତୀୟ ପରମ୍ପରା ଅନୁଯାୟୀ ଘରକୁ ନୂଆ ବୋହୂ ଆସିଲେ ସେ କେବଳ ଗୋଟିଏ ମଣିଷକୁ ନୁହେଁ ବରଂ ସାରା ପରିବାରକୁ ସାଥିରେ ନେଇ ଚାଲିଥାଏ । ଏହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ଜଣେ କର୍ତ୍ତବ୍ୟରତ ବୋହୂ । କରୋନାରେ ଆକ୍ରାନ୍ତ ଶ୍ବଶୁରଙ୍କୁ ପିଠିରେ ପକାଇ ଚାଲିଚାଲି ଯିବା ଭିଡିଓ ଏବେ ସୋସିଆଲ ମିଡିଆେର ଖୁବ ଭାଇରାଲ ହେବାରେ ଲାଗିଛି ।ଆସାମର ଭାଟିଗାଓଁ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ବିରଳ ଦୃଶ୍ୟ ।

ସୂଚନା ଅନୁଯାୟୀ, ୭୫ ବର୍ଷୀୟ ଥୁଲେଶ୍ବର ଦାସ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ତାଙ୍କ ପୁଅ ସୁରଜ ବାହାରେ ରହୁଥିବାରୁ ସେ ଅସହାୟ ମନେକରୁଥିଲେ । କିନ୍ତୁ ଘରେ ଥିବା ବୋହୂ ସାହସ ଜୁଟାଇ ଶ୍ବଶୁରଙ୍କୁ କାନ୍ଧରେ ବସାଇ ହସ୍ପିଟାଲ ଯାଏଁ ଆଣିଥିଲେ । କାରଣ ଯିବାଆସିବା ପାଇଁ ତାଙ୍କ ନିକଟରେ କୌଣସି ସୁବିଧାସୁଯୋଗ ନଥିଲା । ଘରେ କେହି ନଥିବାରୁ ଶ୍ବଶୁର ଥୁଲେଶ୍ବରଙ୍କ ଦେଖା ସାକ୍ଷାତ ବୋହୂ ନିହାରିକା ହିଁ କରୁଥିଲେ । ଶ୍ବଶୁର କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଡେରି ନକରି ନିହାରିକା ପିଠିରେ ବସାଇ ହସ୍ପିଟାଲ ଆଣିଥିଲେ ଏବଂ ଚିକିତ୍ସା କରାଇଥିଲେ ।

ଥୁଲେଶ୍ବରଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ଥିବାରୁ ଜିଲ୍ଲା କୋଭିଡ କେୟାର ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । କିନ୍ତୁ ନିହାରିକା ହସ୍ପିଟାଲ ନେବାକୁ ରାଜି ହୋଇନଥିଲେ । ଶ୍ବଶୁରଙ୍କ ଚିକିତ୍ସା ଘରେ ରହି କରିବାକୁ ଡାକ୍ତରଙ୍କୁ କହିଥିଲେ । ପରେ ଡାକ୍ତର ସେମାନଙ୍କୁ ଗାଁରେ ଥିବା କୋଭିଡ କେୟାରରେ ଆଡମିଟ କରିଥିଲେ । କିନ୍ତୁ ଦୁଃଖର କଥା ହେଉଛି ଶ୍ବଶୁରଙ୍କ ସେବା କରୁ କରୁ ବୋହୂ ନିହାରିକା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ଉଭୟ ଶ୍ବଶୁର ଏବଂ ବେହୂଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.