ବୋହୂ ମାଛ ତରକାରୀ ରାନ୍ଧି ନପାରିବାରୁ ହତ୍ୟା : ମାର୍ଚ୍ଚରେ ହୋଇଥିଲା ବାହାଘର

Published By : Prameya-News7 Bureau | November 18, 2020 IST

ସୁପୌଲ ୧୮/୧୧: ବିହାରର ସୁପୌଲରେ ଜଣେ ବୋହୂ ମାଛ ରାନ୍ଧି ନପାରିବାରୁ ପ୍ରାଣ ହରାଇଛନ୍ତି। ହତ୍ୟା କରିବା ପରେ ମହିଳାଙ୍କ ଶବକୁ ବସ୍ତାରେ ଭର୍ତ୍ତି କରି ଗାଁ ପାଖ କେନାଲ ପାଖରେ ଫିଙ୍ଗି ଦିଆଯାଇଥିଲା।

ମହିଳାଙ୍କ କୌଣସି ସୂଚନା ନ ମିଳିବାରୁ ବାପଘର ଲୋକେ ପୋଲିସ ନିକଟରେ ମାମଲା ରୁଜୁ କରିଥିଲେ। ପୋଲିସ୍ ଲୋକଙ୍କଠାରୁ ସୂଚନା ପାଇ ମହିଳାଙ୍କ ଶବ ଜବତ କରିଥିଲା। ମହିଳାଙ୍କୁ ଚିହ୍ନଟ ପରେ ପୋଲିସ୍ ଅଭିଯୁକ୍ତ ସ୍ବାମୀ ସହ ଶ୍ବଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ରତନପୁରା ଥାନା ଅଞ୍ଚଳର ଢାଢା ଗାଁର କୋଶୀ ନଦୀରୁ ୨ଦିନ ତଳେ ଅଖାବସ୍ତା ଭିତରୁ ମହିଳାଙ୍କ ଶବ ମିଳିଥିଲା। ଲୋକଙ୍କଠୁ ସୂଚନା ପାଇ ପୋଲିସ୍ ପହଞ୍ଚି ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତାଙ୍କ ପରିଚୟ ପାଇବାକୁ ଉଦ୍ୟମ କରିଥିଲା। ମହିଳାଙ୍କ ପରିଚୟ ମିଳିବାରୁ ମୃତ୍ୟୁର ପର୍ଦ୍ଦାଫାସ୍ ହୋଇଥିଲା।

ମହିଳା ମଟିୟାରୀ ବାସିନ୍ଦା ସୁନୀଳା ଦେବୀ ବୋଲି ଜଣା ପଡ଼ିଥିଲା। ମହିଳାଙ୍କ ପରିବାର ଲୋକେ କିଛି ଦିନ ତଳେ ତାଙ୍କ ନିଖୋଜ ମାମଲା ରୁଜୁ କରିଥିଲେ। ମହିଳାଙ୍କ ମୃତଦେହ ଦେଖି ପରିବାରରେ ଶୋକର ଛାୟା ଖେଳି ଯାଇଛି। ସୁନୀଳା ଦେବୀଙ୍କ ବାପା ପୋଲିସକୁ କହିଛନ୍ତି ଯେ ୨୦୨୦ ମାର୍ଚ୍ଚ ମାସରେ ତାଙ୍କ ଝିଅଙ୍କ ବିବାହ ଢାଢା ଗାଁର ଶେବେଶ ପାସଓ୍ବାନଙ୍କ ସହ ହୋଇଥିଲା।

ଦୀପାବଳି ପରେ ବାପଘର ଲୋକେ ଝିଅକୁ ଦେଖିବାକୁ ପହଞ୍ଚିବା ପରେ ସେ ଶ୍ବଶୁର ଘରେ ନଥିଲେ। ଶ୍ବଶୁର ଘରଲୋକଙ୍କୁ ଏବିଷୟରେ ପଚାରିବାରୁ ସେମାନେ ଏପଟ ସେପଟ କଥା କହି ସେମାନଙ୍କୁ ଭୁଲାଇଥିଲେ। ଏହା ପରେ ବାପଘର ଲୋକେ ରତନପୁରରେ ସୁନୀଳା ଦେବୀଙ୍କ ନିଖୋଜ ହେବାର ମାମଲା ରୁଜୁ କରି ତାଙ୍କ ସହ କିଛି ଅଘଟଣା ଘଟିଥିବାର ସନ୍ଦେହ କରିଥିଲେ।

ରବିବାର କୋଶୀ ନଦୀରେ ବସ୍ତା ଭିତରୁ ମହିଳାଙ୍କ ଶବ ଜବତ ହୋଇଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତ ମହିଳାଙ୍କ ବାପାଙ୍କୁ ଖବର ଦେଇଥିଲେ। ଏହା ପରେ ସେ ନିଜ ଝିଅକୁ ଚିହ୍ନିଥିଲେ। ଏହା ପରେ ଉତ୍ତ୍ୟକ୍ତ ଗାଁଲୋକେ ରାସ୍ତାକୁ ଆସି ବିକ୍ଷୋଭ କରିଥିଲେ। ପୋଲିସ୍ ଲୋକଙ୍କୁ ବୁଝାଇ ମାମଲାକୁ ଶାନ୍ତ କରିଥିଲା।

ପୋଲିସ୍ ଅଭିଯୁକ୍ତ ସ୍ବାମୀ ଶିବେଶ ଏବଂ ଶ୍ବଶୁର ଅମରେଶକୁ ଖୋଜି ଗିରଫ କରିଥିଲା। ସ୍ବାମୀକୁ ପଚରାଉଚରା କରିବାରୁ ସେ ପତ୍ନୀକୁ ହତ୍ୟା କରି ଶବକୁ ନଦୀରେ ଫିଙ୍ଗିଥିବା କଥା ମାନିଥିଲା। ସୁନୀଳା ମାଛ ତରକାରୀ ରାନ୍ଧି ପାରିନଥିବାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଝଗଡ଼ା ପରେ ସୁନୀଳା ଶିବେଶ ସହ ଯୁକ୍ତି କରିଥିଲେ। ଏଥିରେ ସଂଯମ ହରାଇ ଶିବେଶ ପତ୍ନୀକୁ ହତ୍ୟା କରିଥିଲା। ଏହି ଘଟଣାରେ ଶିବେଶର ମାଆ ଏବଂ ବାପା ମଧ୍ୟ ସହଯୋଗ କରିଥିଲେ। ପଚରାଉଚୁରା ପରେ ୩ଜଣଙ୍କୁ ଜେଲ୍ ପଠାଇବାର କାର୍ଯ୍ୟାନୁଷ୍ଠାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.