କାନପୁର ୧୫।୫: ଝିଅର ପ୍ରେମ ସଂପର୍କକୁ ବିରୋଧ କରୁଥିଲେ ବାପା । ଝିଅ ଏବଂ ତାଙ୍କ ପ୍ରେମିକଙ୍କୁ କୁରାଢୀରେ ହାଣି କଲା ହତ୍ୟା । କାନପୁରରେ ଶନିଦବାର ଦିନ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣା ପରେ ହତ୍ୟାକାରୀ ବାପା ଘଟଣାସ୍ଥଳ ଛାଡି ଫେରାର ହୋଇଯାଇଛି । ହତ୍ୟାକାଣ୍ଡ ସଂପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀକୁ ଧରିବାକୁ ଛାନଭିନ୍ ଜାରି ରଖିଛି । ଅତ୍ୟନ୍ତ ଦୁଃଖଦ ଘଟଣା ହେଉଛି, ପ୍ରେମିକଙ୍କ ବାପାଙ୍କ ସମ୍ମୁଖରେ ଏସବୁ ହୋଇଥିଲେ ବି ସେ ସେମାନଙ୍କୁ ବଞ୍ଚାଇପାରିନଥିଲେ ।
ସୂଚନାଯୋଗ୍ୟ ଯେ, କାନପୁର ଘାଟମପୁର ଅଞ୍ଚଳ ବିରହାନପୁର ଗାଁରେ ରହୁଥିବା ଜଣେ ଯୁବତୀ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମ ସଂପର୍କ ବିଷୟରେ ଗାଁର ସମସ୍ତ ଜଣାଥିଲା । ଯୁବତୀଙ୍କ ବାପା ଏସବୁ ଜାଣିବା ପରେ ସେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଉଭୟଙ୍କୁ କିଛି ଫରକ ପଡିନଥିଲା ।
ଗୁରୁବାର ସକାଳେ ଯୁବତୀ ଜଣଙ୍କ ଘରେ ଏକା ଥିବା ଜାଣି ପ୍ରେମିକ ତାଙ୍କୁ ଦେଖା କରିବାକୁ ଘରେ ପହଞ୍ଚି ଯାଇଥିଲେ । ଏ ସଂପର୍କରେ ଯୁବତୀଙ୍କ ଘରଲୋକଙ୍କୁ ଜଣାପଡିବା ପରେ ତାଙ୍କ ବାପା ତାଙ୍କ ଭାଇମାନଙ୍କ ସହ ଆସି ଘରେ ଭିତରେ ପଶି ଉଭୟଙ୍କୁ ମାରପିଟ୍ କରିବାକୁ ଲାଗିଲେ । ଯୁବକଙ୍କ ପାଟିଶୁଣି ତାଙ୍କ ବାପା ଦୌଡି ଆସିଥିଲେ । ମାତ୍ର ଯୁବତୀଙ୍କ ଘରଲୋକ ଭିତରପଟୁ ଘର କବାଟ ବନ୍ଦ କରିଦେଇଥିଲେ । ଯୁବକଙ୍କ ବାପାଙ୍କ ଆଖି ଆଗରେ ଉଭୟ ପ୍ରେମୀଯୁଗଳଙ୍କୁ ଘରଲୋକ ପିଟି ପିଟି ମାରିଦେଇଥିଲେ । ଯୁବତୀଙ୍କ ବାପା ଉଭୟଙ୍କୁ କୁରାଢୀରେ ହାଣିଥିବା ସୂଚନା ମିଳିଛି ।
ହତ୍ୟା ଘଟଣା ପରେ ହତ୍ୟାକାରୀ ବାପା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।