ଦାତି ମହାରାଜ ଦିଲ୍ଲୀ କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମ ସମର୍ପଣ କରିଛନ୍ତି
20/06/2018 at 5:37 AM

ବଳତ୍କାର ମାମଲାରେ ଫସିଥିବା ଆଧ୍ୟାତ୍ମିକ ବାବା ଦାତି ମହାରାଜ ଗତକାଲି ଦିଲ୍ଲୀ କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ ପାଇଁ ବୁଧବାର ପର୍ଯ୍ୟନ୍ତ ତାଙ୍କୁ ସମୟ ଦେଇଥିଲା କ୍ରାଇମବ୍ରାଞ୍ଚ। ଦାତି ମହାରାଜଙ୍କ ଉପରେ ତାଙ୍କର ଜଣେ ଶିଷ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଶିଷ୍ୟା ଜଣକ ଅଭିଯୋଗ କରିଛନ୍ତି ଦାତି ମହାରାଜ ଦିଲ୍ଲୀ ଓ ରାଜସ୍ଥାନରେ ଥିବା ଆଶ୍ରମରେ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏନେଇ ପଚରାଉଚୁରା କରିବା ଲାଗି ସୋମବାର ତାଙ୍କୁ ଡକାଇଥିଲା ପୋଲିସ। କିନ୍ତୁ ସେ ହାଜର ହୋଇନଥିଲେ। ତେବେ ତାଙ୍କର ହାଜର ହେବା ନେଇ ଆଶା କ୍ଷୀଣ ଥିଲା । କାରଣ ଶୁକ୍ରବାରଠାରୁ ହିଁ ଦାତି ମହାରାଜ ରାଜସ୍ଥାନର ପାଲି ଆଶ୍ରମରୁ ଫେରାର ହୋଇଯାଇଥିଲେ। ତେବେ ସେଠାରୁ ପୋଲିସ ତାଙ୍କୁ ନୋଟିସ୍ ଜାରି କରିଥିଲା। ଏଥିସହିତ ଦିଲ୍ଲୀ ପୋଲିସ ଆଶ୍ରମରେ ଲାଗିଥିବା ସିସିଟିଭି ଏବଂ ଏହାର ରେକର୍ଡର ଜବତ କରି ଫୋରେନ୍ସିକ୍ ଲାବ୍ରୋଟୋରିକୁ ପଠାଯାଇଛି । ଦିଲ୍ଲୀର ଛତରପୁରର ଶନି ମନ୍ଦିରର ପ୍ରତିଷ୍ଠାତା ଥିଲେ ଦାତି ମହାରାଜ। ସେଠାରେ ସେ ଏତେ ପରିମାଣରେ ଲୋକଙ୍କ ଆସ୍ଥା ଜିଣିଥିଲେ ଯେ ଲୋକେ ତାଙ୍କ ଭଗବାନଙ୍କ ଅବତାର ବୋଲି ଧରିନେଇଥିଲେ। ଆଉ ଦାତି ମହାରାଜ ଏହାର ସୁଯୋଗ ନେଇଥିବା ଅଭିଯୋଗ ହୋଇଛି। ତେବେ ଯୁବତୀ ଜଣଙ୍କ ଅଭିଯୋଗ ଆଣିବା ପରେ ଦାତି ମହାରାଜଙ୍କ ଅସଲ ଚେହେରା ଉପରେ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି। ପୋଲିସ ତଦନ୍ତ ବେଳେ ଆଉ କିଛି ସାଂଘାତିକ ଅଭିଯୋଗମାନ ଆସିଛି। ପୀଡ଼ିତାଙ୍କୁ କେବଳ ଦାତି ମହାରାଜ ନୁହନ୍ତି ତାଙ୍କ ତିନି ଶିଷ୍ୟ ଯେଉଁମାନେକି ପୀଡ଼ିତାଙ୍କ ଦୁର ସଂପର୍କିୟ ହେବେ ସେମାନେ ମଧ୍ୟ ଯୌନ ନିର୍ଯାତନା ଦେଇଛନ୍ତି। ଏହି ତିନି ଭାଇ ଦାତି ମହାରାଜଙ୍କ ଅତି ଖାସ୍ ଥିଲେ ଏବଂ ତାଙ୍କର ଆଶ୍ରମ, ବିଦ୍ୟାଳୟ ଆଦିର ଦେଖାରଖା କରୁଥିଲେ। କ୍ରାଇମବ୍ରାଞ୍ଚ ଏହି ତିନି ଭାଇଙ୍କୁ ମଧ୍ୟ ନୋଟିସ ଜାରି କରିଛି।