ବିଜେପୁର ଉପ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଅକ୍ଟୋବର ୨୧ରେ ଭୋଟ୍

Published By : Prameya-News7 Bureau | September 21, 2019 IST

ନୂଆଦିଲ୍ଲୀ ୨୧।୯: ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଅକ୍ଟୋବର ୨୧ତାରିଖରେ ଭୋଟ୍ ହେବ । ତେବେ ଏଥିପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଅକ୍ଟୋବର ୨୧ରେ ଭୋଟ୍ ହେବା ପରେ ଅକ୍ଟୋବର ୨୪ତାରିଖରେ ଭୋଟ୍ ଗଣତି ହେବ ଏବଂ ଫଳାଫଳ ପ୍ରକାଶ ପାଇବ । ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଅକ୍ଟୋବର ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଅକ୍ଟୋବର ୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

ସୂଚନାଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ସେ ହିଞ୍ଜିଳି ଆସନ ରଖି ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଇଥିଲେ । ଫଳରେ ବିଜେପୁର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅବଶ୍ୟମ୍ଭାବୀ ହୋଇପଡିଥିଲା ।

ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଗତ କିଛି ଦିନ ହେଲା ବିଜେ଼ପୁରକୁ ନେଇ ରାଜନୀତି ସରଗରମ ରହିଛି । ବିଜେଡି ଏଠାରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଛି । ନିକଟରେ ଦିଲ୍ଲୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ବିଜେଡି ବିଜେପୁରରେ ବିଜୟୀ ହେବ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ପୂର୍ବରୁ ବିଜେପୁର ପାଇଁ ୪ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି କମିଟିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, କଳିକେଶ ନାରାୟଣ ସିଂଦେଓ ଏବଂ ସଞ୍ଜୟ ଦାସବର୍ମାଙ୍କୁ ରଖାଯାଇଛି ।

ଅପରପକ୍ଷରେ ବିଜେପୁର ନିର୍ବାଚନ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ମାସେ ତଳୁ ପ୍ରସ୍ତୁତ ହୋଇ ରହିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ । ଏଥିସହ ବିଜେପୁର ଉପନିର୍ବାଚନ ସଂପର୍କୀତ ସମସ୍ତ ଦାୟିତ୍ବ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ପ୍ରଦାନ କରାଯାଇଥିବା ଘୋଷଣା କରିଥିଲେ । କଂଗ୍ରେସ ନେତା ରିପୁନାଥ ସେଠ୍ ଏହି ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବାବେଳେ ତାଙ୍କୁ ଯଦି ଟିକଟ ନମିଳେ ତାହାଲେ ତାଙ୍କ ପୁଅଙ୍କୁ ଟିକଟ ଦିଆଯାଉ ବୋଲି ସ୍ଥାନୀୟ କର୍ମୀ ଚାହୁଁଥିବା ସେ ଗଣମାଧ୍ୟମକୁ କହିଥିଲେ ।

ବିଜେପି କିନ୍ତୁ ବିଜେପୁର ଉପ ନିର୍ବାଚନ ନେଇ ଅଦ୍ୟାବଧି କୌଣସି ନିଷ୍ପତ୍ତି ନେଇନାହିଁ । ଗତ ନିର୍ବାଚନରେ ସନତ ଗଡତିଆ ପ୍ରାର୍ଥୀ ହୋଇଥିଲେ । ଏଥର ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି । ତେବେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହେବା ପାଇଁ ମଧ୍ୟ କିଛି ଦିନ ତଳେ ଆଗ୍ରହ ପ୍ରକାଶ କରି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.