ଶ୍ରୀଜୀଉଙ୍କ ସୁସ୍ଥତା ପାଇଁ ଲାଗି ହୋଇଛି ଦଶମୂଳ ମୋଦକ
28/06/2019 at 7:17 PM

ଶ୍ରୀଜୀଉଙ୍କ ସୁସ୍ଥତା ପାଇଁ ଲାଗି ହୋଇଛି ଦଶମୂଳ ମୋଦକ। ଶ୍ରୀମନ୍ଦିର ରାଜ ବୈଦ୍ୟଙ୍କ ଦ୍ୱାରା ଆୟୁର୍ବେଦ ଚେରମୂଳିରେ ପ୍ରସ୍ତୁତ ଦଶମୂଳ ସେବନ ପରେ ହିଁ ଜ୍ୱରରେ ପୀଡ଼ିତ ଥିବା ବିଗ୍ରହ ସୁସ୍ଥତା ଅନୁଭବ କରିଥାନ୍ତି। ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳ ପ୍ରସ୍ତୁତ ହୋଇଥାଏ। ଆଜି ଅପରାହ୍ନରେ ଏହା ଶ୍ରୀମନ୍ଦିରକୁ ନିଆଯାଇଛି।

ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା। ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ। ଦେବସ୍ନାନପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ଜରରେ ପୀଡ଼ିତ ଥିବା ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେଉଥିବାର ବିଶ୍ୱାସ ରହିଛି।

ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପଣ୍ଡି, ଅଙ୍କରାନ୍ତି, ଗୋଖରା ପରି ପ୍ରକାରର ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନପୂର୍ଣ୍ଣିମାରୁ ହିଁ ଦଶମୂଳ ମୋଦକର ପ୍ରସ୍ତୁତି ଆରମ୍ଭ ହୁଏ। ଶ୍ରୀମନ୍ଦିର ରାଜବୈଦ୍ୟ ସ୍ୱର୍ଗତ ବିନାୟକ ମିଶ୍ର ଓ ଲବଣିଖିଆ ଛକ ନିକଟରେ ଥିବା ରାଜବୈଦ୍ୟ ରୁଦ୍ରନନ୍ଦନ ମିଶ୍ରଙ୍କ ଘରେ ଦଶମୀ ଦିନ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ। ଅତି ନିଷ୍ଠା ଓ ପବିତ୍ରତାର ସହ ଚୁଲି ବସାଇ ପାଗ ହେବା ପରେ ପ୍ରସ୍ତୁତ ଚେରମୂଳ ଗୁଣ୍ଡକୁ ସେଥିରେ ପକାଯାଇ ଘଣ୍ଟାଯାଏ ଓ ଥଣ୍ଡା ହେବାପରେ ମୋଦକ ପ୍ରସ୍ତୁତ ହୁଏ।

କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଛି। ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଗଜପତି ମହାରାଜାଙ୍କ ନିର୍ଦ୍ଧେଶ କ୍ରମେ ଶ୍ରୀମନ୍ଦିର ରାଜବୈଦ୍ୟ ଦଶମୂଳ ମୋଦକ ପ୍ରସ୍ତୁତ କରିଥାନ୍ତି। ଦଇତାପତି ଏବଂ ପତି ମହାପାତ୍ର ସେବାୟତମାନେ ଏହି ମୋଦକ ପ୍ରଭୁଙ୍କୁ ଲାଗି କରିବା ପରେ ପ୍ରଭୁ ସୁସ୍ଥ ହୋଇଥିବାର ପରମ୍ପରା ରହିଛି। ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ରାଜବୈଦ୍ୟ ସେବା ମିଳିଥାଏ ବୋଲି କହିଛନ୍ତି ରାଜବୈଦ୍ୟ ପରିବାର।

ଦଶମୂଳ ମୋଦକ ସେବନ ଦ୍ୱାରା ସର୍ବ ରୋଗହାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଗ ଓ ପୀଡ଼ା ଦୂର ହୋଇଥିବାର ବିଶ୍ୱାସ ଓ ପରମ୍ପରା ଚାଲି ଆସୁଛି। ଦଇତାପତି ସେବାୟତଙ୍କ ଦ୍ୱାରା ଅଣସର ଘରେ ଶ୍ରୀ ବିଗ୍ରହଙ୍କ ଗୁପ୍ତସେବା ଚାଲିଥିବା ବେଳେ କ୍ଷେତ୍ରାଧିପତିଙ୍କ ଏହି ବୈଦ୍ୟ ସେବା ପ୍ରଭୁଙ୍କ ମାନବୀୟଲୀଳାର ଆଉ ଏକ ପ୍ରମାଣ।
