ଦର୍ଶନରେ ଅବ୍ୟବସ୍ଥା, ଜଗାକୁ ଦେଖିବାକୁ ସିଂହଦ୍ବାର ସମ୍ମୁଖରେ ୨ ଘଣ୍ଟା କାଳ ବସିରହିଲେ ଶ୍ରଦ୍ଧାଳୁ

Published By : Prameya-News7 Bureau | January 21, 2021 IST

ପୁରୀ ୨୧।୦୧ :  ଦୀର୍ଘ ୧୦ ମାସ ପରେ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ସାଧାରଣ ଦର୍ଶନ। ଏ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଅନେକ ଭକ୍ତଙ୍କ ପାଇଁ ଏହା ପାଲଟିଛି ପ୍ରହସନ। ଯାହାର ଜ୍ବଳନ୍ତା ଉଦାହରଣ ଦେଖିବାକୁ ମିଳିଛି ଆଜି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ। ଯାହା ଘଟିଛି ପୁରୀ ନବକଳେବର ରୋଡ ନୂଆ ସାହି ଅଞ୍ଚଳର ପବିତ୍ର ମୋହନ ସାହୁଙ୍କ ପକ୍ଷରେ ।

ଗତକିଛି ଦିନ ପୂର୍ବରୁ ୱାର୍ଡୱାରୀ ଜଗା ଦର୍ଶନ ସମୟରେ ଏକ ଦୁର୍ଘଟଣାରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ଯାହା ଫଳରେ ସେ ଜଗା ଦର୍ଶନରୁ ବଞ୍ଚିତ ଥିଲେ। ଏପଟେ ଆଜି ସାଧାରଣ ଦର୍ଶନ ହେବା ନେଇ ଗତକାଲି ରାତିରୁ ତାଙ୍କ ଆଖିକୁ ନିଦ ନଥିଲା। ଚାତକ ଆଖିରେ ଚାହିଁ ବସିଥିଲେ ସକାଳ ହେବା ମାତ୍ରେ ଶ୍ରୀମନ୍ଦିର ଯାଇ ଜଗାକୁ ଦର୍ଶନ କରିବେ। ଆଉ ଭଙ୍ଗା ଗୋଡରେ ପୁଅକୁ ସାଙ୍ଗରେ ଧରି ଆସିଥିଲେ ଶ୍ରୀମନ୍ଦିର। ପବିତ୍ରଙ୍କ ଗୋଡର ଏଭଳି ଅବସ୍ଥା ଦେଖି ସିଂହଦ୍ବାର ସମ୍ମୁଖରେ ଥିବା ପୋଲିସ କର୍ମଚାରୀ ମାନେ ତାଙ୍କୁ ଦର୍ଶନ ପାଇଁ ଭିତରକୁ ଛାଡିଥିଲେ ମଧ୍ୟ ତାଙ୍କ ପୁଅକୁ ବ୍ୟାରିକେଡ ଭିତର ଦେଇ ଆସିବା ପାଇଁ କହିଥିଲେ।

ପ୍ରାୟ ୨ ଘଣ୍ଟା କାଳ ସିଂହଦ୍ବାର ସମ୍ମୁଖରେ ପୁଅକୁ ଅପେକ୍ଷା କରି ବସିବା ପରେ ଯାଇ ପବିତ୍ର ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତେବେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପବିତ୍ର ଅସନ୍ତୁଷ୍ଟ ଥିଲେ। ସିନିଅର ସିଟିଜିନ୍ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଗତକାଲି ଗଣମାଧ୍ୟମ ଆଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରୀୟା ରଖିଥିବା ବେଳେ ଏହା ପ୍ରଶାସନର ଧୂଆଁ ବାଣ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି  ପବିତ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.