ରାହୁଲଙ୍କ ହେଲିକେପ୍ଟରକୁ ଓହ୍ଲାଇବା ପାଇଁ ଅନୁମତି ଦେଲେ ନାହିଁ ପଶ୍ଚିମବଙ୍ଗ ସରକାର

Published By : Prameya-News7 Bureau | April 13, 2019 IST

କୋଲକାତା ୧୩/୪ : ଦାର୍ଜିଲିଂ ଜିଲ୍ଲା ପ୍ରଶାସନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ହେଲିକେପ୍ଟର ଲ୍ୟାଣ୍ଡିଙ୍ଗ ପାଇଁ ଅନୁମତି ଦେଲା ନାହିଁ | ଆସନ୍ତାକାଲି ସିଲିଗୁଡ଼ିରେ ରାହୁଲ ଗାନ୍ଧୀଙ୍କର ଏକ ଜନସଭା ଅଛି | ଯେଉଁଥିପାଇଁ ହେଲିକେପ୍ଟରରେ ଯିବେ ରାହୁଲ | ହେଲିକେପ୍ଟର ଲ୍ୟାଣ୍ଡିଙ୍ଗ ପାଇଁ ଅନୁମତି ମାଗିଥିଲେ ଦଳ | କିନ୍ତୁ ରାହୁଲଙ୍କ ହେଲିକେପ୍ଟର ଲ୍ୟାଣ୍ଡିଙ୍ଗ ପାଇଁ ଦାର୍ଜିଲିଂ ଜିଲ୍ଲା ପ୍ରଶାସନ ତାଙ୍କୁ ଅନୁମତି ଦେବା ପାଇଁ ଅସ୍ବୀକାର କରିଦେଇଛି |


ଦାର୍ଜିଲିଂ କଂଗ୍ରେସ ପ୍ରାର୍ଥୀ ଶଙ୍କର ମାଲାକାର କହିଛନ୍ତି ଯେ, ମମତା ବାନାର୍ଜୀ ସରକାର ଅସୁରକ୍ଷିତ ଅନୁଭବ କରୁଛନ୍ତି | ସେଥିପାଇଁ ତାଙ୍କ ଜିଲ୍ଲା ପ୍ରଶାସନ ରାଜ୍ୟର ଉତ୍ତରାଞ୍ଚଳରେ ବିରୋଧୀ ନେତାଙ୍କ ରାଲିକୁ ଅନୁମତି ଦେବା ପାଇଁ ଅସ୍ବୀକାର କରୁଛି | ଆସନ୍ତାକାଲି ସିଲିଗୁଡ଼ିରେ ହେବାକୁ ଥିବା ରାହୁଲଙ୍କ ରାଲି ପାଇଁ ଦଳ ଅନୁମତି ମାଗିଥିଲେ କିନ୍ତୁ ଅନୁମତି ମିଳିନଥିଲା | ଜିଲ୍ଲା ପ୍ରଶାସନ ଶେଷ ମୁହୂର୍ତ୍ତରେ ହେଲିକେପ୍ଟର ଲ୍ୟାଣ୍ଡିଙ୍ଗ ପାଇଁ ମନା କରିଦେଇଛି |


ସୂଚନାଯୋଗ୍ୟ ଯେ, ଦାର୍ଜିଲିଂ ଅନ୍ତର୍ଗତ ରାୟଗଞ୍ଜ ଏବଂ ଜଲପାଈଗୁଡ଼ିରେ ଏପ୍ରିଲ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ | ଏହା ପୂର୍ବରୁ ବିଜେପି ସହ ମଧ୍ୟ ଏହିଭଳି ଏକ କାଣ୍ଡ ହୋଇଥିଲା | ଅମିତ ଶାହଙ୍କ ପ୍ରଚାର ରଥକୁ ମଧ୍ୟ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇନଥିଲେ | ଘଟଣା ପରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକେପ୍ଟରକୁ ମଧ୍ୟ ଲ୍ୟାଣ୍ଡିଙ୍ଗ ପାଇଁ ଅନୁମତି ମିଳିନଥିଲା | ଯାହାଫଳରେ ଯୋଗୀ ଝାରଖଣ୍ଡରୁ ରାଜପଥ ଦେଇ ରାଲି କରିବା ପହଂଚିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.