ଚାଲିଲା ଦାର୍ଜିଲିଂ-ହିମାଲୟନ ଟୟଟ୍ରେନ୍, ଏବେ ପୂର୍ବୋତ୍ତର ବୁଲିବାର ଆସିବ ଅସଲି ମଜା
27/12/2020 at 8:32 PM

ଦାର୍ଜିଲିଂ ୨୭।୧୨: କରୋନା ମହାମାରୀ ଓ ଲକଡାଉନ୍ ଯୋଗୁ ବନ୍ଦଥିବା ଦାର୍ଜିଲିଂର ହିମାଲୟନ ଟୟ ଟ୍ରେନ୍ ପୁଣି ପର୍ଯ୍ୟଟକଙ୍କ ଲାଗି ଚାଲିଛି। ଦାର୍ଜିଂ ହିମାଲୟନ ରେଲୱେ ଏହି ଟ୍ରେନ ସେବା ପ୍ରଦାନ କରୁଛନ୍ତି। ଏହି ଟ୍ରେନକୁ ପର୍ଯ୍ୟଟକ ବେଶ ପସନ୍ଦ କରନ୍ତି। କାରଣ ଏହି ଟ୍ରେନ ପୂର୍ବୋତ୍ତରର ସୌନ୍ଧର୍ଯ୍ୟକୁ ପର୍ଯ୍ୟଟକଙ୍କୁ ଭିନ୍ନ ରୂପରେ ଉପସ୍ଥାପିତ କରିଥାଏ।

ରେଳବାଇ ଗତ ଖ୍ରୀଷ୍ଟମାସରୁ ଟୟ ଟ୍ରେନ ଚଳାଚଳ ଆରମ୍ଭ କରିଛନ୍ତି। ଦେଶରେ ଅନଲକ୍ ଚାଲିଥିବା ବେଳେ ପର୍ଯ୍ୟଟକଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ରେଳ ସେବା ପୁଣି ଥରେ ଆରମ୍ଭ ହୋଇଛି। ଏହି ଟ୍ରେନ୍ ନ୍ୟୁ ଜଲପାଇଗୁଡି, ସିଲିଗୁଡି ଟାଉନ୍, ସିଲିଗୁଡି ଜଙ୍କସନ, ସୁକନା, ରଙ୍ଗଟଙ୍ଗ, ତିନଧରିଆ, ଗୟାବାଡୀ, ମହାନଦୀ, କୁର୍ସିୟାଙ୍ଗ, ଟୁଙ୍ଗ, ସୋନାଦା, ଘୁମ ଓ ଦାର୍ଜିଲିଂ ମଧ୍ୟରେ ଚଳାଚଳ କରିଥାଏ।

ଟ୍ରେନ ଚଳାଚଳରେ ଦାର୍ଜିଲିଂ ହିମାଲୟନ ରେଲୱେ ସମ୍ପୂର୍ଣ୍ଣ କୋଭିଡ ସତର୍କତା ଅବଲମ୍ବନ କରୁଛନ୍ତି। ଏଥିଲାଗି ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜର ଓ ଟ୍ରେନରେ ସୋସିଆଲ ଡିଷ୍ଟାନସିଂର ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି। ବନ୍ଦ ହୋଇଥିବା ଟ୍ରେନ ସେବା ପୁଣି ଆରମ୍ଭ କରିବା ଲାଗି ରେଳବାଇ ଦୁଇମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଏଥିପାଇଁ କେବଳ ଜିଲ୍ଲା ପ୍ରଶାସନଙ୍କ ଅନୁମତିକୁ ଅପେକ୍ଷା କରାଯାଇଥିଲା। ଏବେ ଜିଲ୍ଲା ପ୍ରଶାସନଙ୍କ ଅନୁମତି ପରେ ଟ୍ରେନ ଟଳାଚଳ ଆରମ୍ଭ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହ ଟ୍ରେନ୍ ସଂଖ୍ୟା ମଧ୍ୟ ବୃଦ୍ଧି ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।