ଦାରିଙ୍ଗବାଡ଼ି ପୋଲିସର ମହାନତା, ଅସହାୟ ବୃଦ୍ଧ ଭିକ୍ଷୁକଙ୍କ ଶବସତ୍କାର କଲେ ଥାନା ଅଧିକାରୀ

Published By : Prameya-News7 Bureau | April 12, 2021 IST

ଦାରିଙ୍ଗବାଡ଼ି, ୧୨/୪: ବିଭିନ୍ନ ସମୟରେ ପୋଲିସ ନାମରେ ସଙ୍ଗୀନ ଅଭିଯୋଗ ଆସିବା ସହ ମାନବିକତାର ସୀମା ଉଲଘଂନ କରୁଥିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଆସୁଥିବା ବେଳେ  ଦାରିଙ୍ଗବାଡ଼ି ପୋଲିସ କିଛି ଭିନ୍ନ କରି ଦେଖାଇଛି । ଜଣେ ଅସହାୟ ବୃଦ୍ଧ ଭିକ୍ଷୁକଙ୍କ ଶବ ସତ୍କାର କରିଛି ଦାରିଙ୍ଗବାଡ଼ି ପୋଲିସ ।

ସୂଚନା ଅନୁସାରେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପେନାପୁସି ସ୍କୁଲ ନିକଟରେ ରବିବାର ଦିନ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ଶବ ପଡିରହିଥିବା ଦେଖିବାକୁ ମିଳିଥିଲା । ବୃଦ୍ଧ ଜଣକ ରାଇକିଆ ଥାନା ଦମାଗୁଡ଼ା ଗ୍ରାମର ଏଲିଆସ ନାୟକ ହୋଇଥିବା ବେଳେ ବହୁତ ବର୍ଷ ହେଲା ସେ ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରି ଚଳି ଆସୁଥିଲେ । ଗତ କିଛି ଦିନ ହେବ ସେ ପେନାପୁସି  ଅଂଚଳରେ ରହି ଭିକ୍ଷା ବୃତ୍ତି କରୁଥିଲେ l

ତେବେ କୌଣସି କାରଣ ବଶତଃ ସେହି ସ୍କୁଲ ପରିସରରେ ତାଙ୍କର ମୃତ୍ୟ ହୋଇଥିବା ବେଳେ ସ୍କୁଲରେ ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ସରପଂଚ ଦାରିଙ୍ଗବାଡ଼ି ପୁଲିସକୁ ସୂଚନା ଦେଇଥିଲେ । ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ ।

ଏହା ସହ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ହେଲେ ତାଙ୍କ ପରିବାରରେ ଏକମାତ୍ର ସାନ ଭାଇ ରାଧାକାନ୍ତ ଜଣେ ଅତି ଗରୀବ ବ୍ୟକ୍ତି ବୋଲି ଜଣାପଡିଥିଲା । ଶବ ସତ୍କାର କରିବାକୁ ସେ ଅସମର୍ଥ ଥିଲେ । ଏପରିକି ଗାଁରୁ ଦାରିଙ୍ଗବାଡ଼ି ଆସିବାକୁ ବି ସମର୍ଥ ନ ଥିଲେ । ଶେଷରେ ଦାରିଙ୍ଗବାଡ଼ି ପୋଲିସ ସହଯୋଗର ହାତ ବଢ଼ାଇ ରାଧାକାନ୍ତଙ୍କୁ ଗାଡ଼ି ପଠାଇ ଆଣିବା ସହ ତାଙ୍କ ଉପସ୍ଥିତିରେ ଦାରିଙ୍ଗବାଡ଼ି କ୍ୟାଥଲିକ ଚର୍ଚ୍ଚ ନିକଟ ସମାଧିସ୍ଥଳରେ ବୃଦ୍ଧଙ୍କର ଶବ ସତ୍କାର କାର୍ଯ୍ୟ ସମ୍ପନ୍ନ କରିଥିଲେ ।

ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଏହାର ନେତୃତ୍ୱ ନେଇଥିବା ବେଳେ ଏସଆଇ ସୌମ୍ୟକାନ୍ତ ପଣ୍ଡା ଶବସତ୍କାର କରାଇଥିଲେ । ପୋଲିସର ଏଭଳି ମାନବିକତା ଦେଖି ଅଂଚଳବାସୀ ପୋଲିସର କାର୍ଯ୍ୟଶୈଳୀକୁ ବହୁତ ପ୍ରଶଂସା କରିବା ସହ ସାଧୁବାଦ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.