ଦାରିଙ୍ଗବାଡି ଉଦ୍ୟାନ ବିଭାଗ ମୁଖ୍ୟ ଫାଟକରେ ଝୁଲୁଛି ତାଲା, ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନି

Published By : Prameya-News7 Bureau | December 01, 2021 IST

ଦରିଙ୍ଗବାଡି ୧।୧୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ରେ ଥିବା ଉଦ୍ୟାନ ବିଭାଗ ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ବେଳେ ଅଧିକାରୀଙ୍କ ଦେଖା ମିଳୁନି । ଛୁଟି ଦିନ ଛାଡି ଅନ୍ୟ ଦିନରେ ବି ଗେଟରେ ତାଲା  ଝୁଲୁଥିବା ଅଭିଯୋଗ ହେଉଛି । ଏଠାରେ ବିଭିନ୍ନ ପ୍ରକାର ସାର, ପିଡ଼ିଆ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥାଏ । ମାତ୍ର ତାଲା ଝୁଲିବା ଯୋଗୁଁ ଦାରିଙ୍ଗବାଡି ବ୍ଲକର ୨୫ଗୋଟି ପଞ୍ଚାୟତର ଚାଷୀ ଏଥିରୁ କିଛି ସୁଫଳ ପାଇପାରୁନାହାନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଆବଶ୍ୟକ ମୁତାବକ କର୍ମଚାରୀ ନଥିବାରୁ ଉଦ୍ୟାନ ବିଭାଗରେ ଲକ୍ଷ ଲକ୍ଷ ଟଙ୍କାର ସାର ପିଡ଼ିଆ ପଡିରହିଛି ।

ସେପଟେ ଶୀତଳ ଭଣ୍ଡାର ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି । ସରକାରଙ୍କ ତରଫରୁ ଆସୁଥିବା ଦାମୀ ଦାମୀ ସାର ପିଡ଼ିଆ ବାହାରେ ପଡ଼ି ଖତ ହୋଇଗଲାଣି । ଦୁଇ ବର୍ଷରୁ ଅଧିକ ସମୟ ଧରି  ବୋରିଙ୍ଗ ଖରାପ ହେବା ଯୋଗୁଁ ଚାରା ବିହନ ପାଣି ନପାଇ ମରିବାକୁ ବସିଲାଣି । ରକ୍ଷଣାବେକ୍ଷଣ ପାଇଁ ରହିଥିବା ଅଧିକାରୀ ଏହା ସ୍ବୀକାର କରିଛନ୍ତି । ବିଭାଗୀୟ ଅଧିକାରୀ ଦାରିଙ୍ଗବାଡିରେ ନରହି ଅଧିକାଂଶ ସମୟ ବାହାରେ ରହୁଛନ୍ତି । ଫଳରେ ଚାଷୀଙ୍କୁ ଠିକ୍ ସୂଚନା ମିଳିପାରୁନାହିଁ । ଲକ୍ଷ ଲକ୍ଷ ଟଙ୍କାର ଦାମୀ ଚାରା ଗଛକୁ ଚାଷୀଙ୍କୁ ଦିଆ ନଯାଇ ନଷ୍ଟ କରିଦେଉଛନ୍ତି ବିଭାଗୀୟ ଅଧିକାରୀ  । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.