ନଦୀ ଓ ନାଳରେ ବନ୍ୟାଜଳ ପ୍ରବାହିତ : ଧୋଇଗଲା ଦାରିଙ୍ଗବାଡି ରାସ୍ତାର ଡାଇଭର୍ସନ, ଯୋଗାଯୋଗ ବିଚ୍ଛିନ୍ନ

Published By : Prameya-News7 Bureau | September 14, 2021 IST

ଫୁଲବାଣୀ ୧୪।୯: କନ୍ଧମାଳ ଜିଲ୍ଲାରେ ସୋମବାରଠୁ ଲଗାଣ ବର୍ଷା ଜାରି ରହିଛି । ଫୁଲବାଣୀ ସହର ଦେଇ ପ୍ରବାହିତ ପିଲା ସାଲକୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ନଦୀ ଖଣ୍ଡିସାହିଠାରେ ଥିବା ଡ୍ୟାମ୍ ଉପରେ ମଙ୍ଗଳବାର ମଧ୍ୟ ୨/୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଡାକ ପାଲା, ଦାମିଙ୍ଗା ଆଦି ୨ଟି ଓ୍ବାର୍ଡ ଲୋକେ ଦୁଇ ଦିନ ହେଲା ବିଚ୍ଛିନ୍ନ ହୋଇଯାଇଛନ୍ତି ।

ସେହିପରି ୧୦ ନମ୍ବର ୱାର୍ଡ କୁମ୍ଭାରପଡ଼ାଠାରେ ନାଳ ଉପରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ଫଳରେ କୁମ୍ଭାରପଡ଼ାକୁ ଗମନାଗମନ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁ ଫୁଲବାଣୀ ସମେତ ଜିଲ୍ଲାରେ ଜନଜୀବନ ବେହାଲ ହୋଇପଡିଛି ।

ସେହିପରି ଜିଲ୍ଲାର ଖଡଗ ନଦୀ, ସାଲକୀ ନଦୀ, ରାହୁଲ ନଦୀ, ଚାଉଳଧୁଆ ନଦୀ ଆଦି ବିଭିନ୍ନ ନଦୀରେ ବନ୍ୟାଜଳ ଆସିଛି । ତେବେ ଲଗାଣ ବର୍ଷା ଯୋଗୁ ଜିଲ୍ଲାର ଖଜୁରୀପଡ଼ା ବ୍ଲକର ଅରାପାଜୁ, ସୁଡୁରୁ ଗୁମ୍ଫା, ପେନା ବାଲି ଆଦି ଅଞ୍ଚଳରେ କେତକଙ୍କ ଘର ଭୁଶୁଡିଥିବା ଖବର ମିଳିଛି । ସେହିପରି ସୋମବାର ଲଗାଣ ବର୍ଷାରେ ସାରଙ୍ଗଡ ସ୍ଥିତ ଜଗନ୍ନାଥ ମନ୍ଦିର ଭୁଶୁଡି ପଡିଥିବାବେଳେ ସୋମବାର ସନ୍ଧ୍ୟାରେ ଦାରିଙ୍ଗବାଡି ଓ ସିମନବାଡି ମଧ୍ୟରେ ଏକ ଡାଇଭର୍ସନ ଧୋଇ ହୋଇଯିବା ଫଳରେ ଗମନାଗମନ ବିଚ୍ଛିନ୍ନ ହୋଇଯାଇଛି  । ସେହିପରି ଲଗାଣ ବର୍ଷାରେ ଏକର ଏକର ଧାନ ଫସଲ ପାଣିରେ ବୁଡ଼ି ନଷ୍ଟ ହୋଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.