ଦନ୍ତାହାତୀ ଆକ୍ରମଣରେ ମହିଳା ଗୁରୁତର, ନଦୀକୁ ଯିବାବେଳେ ଶୁଣ୍ଢରେ ଟେକି କଚାଡିଦେଲା

Published By : Prameya-News7 Bureau | May 25, 2022 IST

ଟାଙ୍ଗୀ ୨୫/୦୫: ମାତିଲା ଦନ୍ତାହାତୀ । ଶୁଣ୍ଢରେ ମହିଳାଙ୍କୁ ଟେକି କରି ଫୋପାଡ଼ି ଦେଲା । ହେଲେ ମହିଳା ଜଣକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ । ଆଜି ସକାଳୁ ସକାଳୁ ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ଅଧିନ ବରିକୋ-ବଧିସାହି ଗ୍ରାମରେ ।

ମହିଳା ଜଣକ ଗୁରୁତର ଆହତ ହୋଇ ଏକ ଗଛରେ ଲଟକି ଥିବା ବେଳେ ମହିଳାଙ୍କର ଆର୍ତ୍ତ ଚିତ୍କାର ଶୁଣି କିଛି ଲୋକ ମହିଳାଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ମହିଳା ଜଣକ ସକାଳୁ ନିଜର ନିତ୍ୟକର୍ମ ପାଇଁ ନିକଟସ୍ଥ ନଈ-ବନ୍ଧକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଆହତ ମହିଳା ଜଣକ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ଅଧିନ ବରିକୋ-ବଧିସାହି ଗ୍ରାମର ଗୋକୁଳ ବେହେରାଙ୍କର ପତ୍ନୀ ଆଦର ବେହେରା ।

ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଯୋଗୁଁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନରେ ବର୍ତ୍ତମାନ ୮ ଟି ଦନ୍ତାହାତୀ ବିଭିନ୍ନ ଜଙ୍ଗଲରେ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.