ଗାଙ୍ଗୁଲିଙ୍କ ପାଇଁ ଖୋଲି ଯାଇପାରେ ଦାନିଶ କାନେରିଆଙ୍କ ଭାଗ୍ୟ, ପାକିସ୍ତାନର ବ୍ୟାନ୍ କ୍ରିକେଟର କାହିଁକି ବିସିସିଆଇ ସଭାପତିଙ୍କୁ କରୁଛନ୍ତି ପ୍ରଶଂସା ?
7/06/2020 at 4:32 PM

ଲାହୋର, ୦୭|୦୬: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ବିସିସିଆଇର ସଭାପତି ରହିଛନ୍ତି । ତାଙ୍କୁ ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ହୁଅନ୍ତୁ ବୋଲି ଚାହୁଁଛନ୍ତି ପାକିସ୍ତାନ କ୍ରିକେଟ ଦଳରୁ ବାସନ୍ଦ ହୋଇଥିବା ବୋଲର ଦାନିଶ୍ କାନେରିଆ ।
କାନେରିଆ କହିଛନ୍ତି ଯେ, ଗାଙ୍ଗୁଲି ଆଇସିସି ଅଧ୍ୟକ୍ଷ ହେଲେ ତାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ବିରୋଧରେ ସେ ଆବେଦନ କରିପାରିବେ । ଏପରି ହେଲେ ଗାଙ୍ଗୁଲି ତାଙ୍କୁ ସମର୍ଥନ କରିବେ ବୋଲି ବିଶ୍ୱାସ ରହିଛି । ଗାଙ୍ଗୁଲି ଜଣେ ମହାନ ଖେଳାଳି । ତାଙ୍କଠାରୁ ଆଉ କେହି ଆଇସିସି ଅଧ୍ୟକ୍ଷ ହେବା ପାଇଁ ଯୋଗ୍ୟ ପ୍ରାର୍ଥୀ ନାହାଁନ୍ତି । ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିବା ବେଳେ ଭାରତ ଭଲ ପ୍ରଦର୍ଶନ କରିଥିଲା । ଯାହାକୁ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ଆଗକୁ ବଢାଇଥିଲେ ।

କାନେରିଆ ପାକିସ୍ତାନ ତରଫରୁ ଟେଷ୍ଟ୍ କ୍ରିକେଟରେ ସ୍ପିନର ଭାବେ ସର୍ବାଧିକ ୨୬୧ଟି ଓ୍ୱିକେଟ୍ ନେଇଛନ୍ତି । ସେ ପାକିସ୍ତାନ ତରଫରୁ ୬୧ଟି ଟେଷ୍ଟ୍ ମ୍ୟାଚ ଖେଳିଛନ୍ତି । ପରେ ଫିକ୍ସିଂ ଅଭିଯୋଗରେ ତାଙ୍କୁ ଦଳରୁ ବାସନ୍ତ କରାଯାଇଥିଲା । ତାଙ୍କ ପିତା-ମାତା ଗୁଜୁରାଟ ସୁରଟର ବାସିନ୍ଦା । ସେ ହିନ୍ଦୁ ଗୁଜୁରାଟୀ ପରିବାରରୁ ଆସିଛନ୍ତି ।