ଅଷ୍ଟ୍ରେଲିଆନ ଓପନର ଫାଇନାଲ୍ ପୂର୍ବରୁ ମେଦଭେଦେଭଙ୍କୁ ବଡ ଦଣ୍ଡ, ଲାଗିଲା ୮.୨ ଲକ୍ଷ ଜରିମାନା

Published By : Prameya-News7 Bureau | January 29, 2022 IST

ନୂଆଦିଲ୍ଲୀ ୨୯।୦୧: ଅଷ୍ଟ୍ରେଲିଆନ ଓପନର ଫାଇନାଲ୍ ମୁକାବିଲା ଖେଳିବା ପୂର୍ବରୁ ଦାନିଲ ମେଦଭେଦେଭଙ୍କୁ ଆୟୋଜକଙ୍କ ପକ୍ଷରୁ ମିଳିଛି ବଡ ସଜା। ଅଷ୍ଟ୍ରେଲିଆନ ଓପନର ଆୟୋଜକ ମେଦଭେଦେଭଙ୍କୁ  କାର୍ଯ୍ୟାନୁଷ୍ଠାନସ୍ଵରୂପ ୮.୨ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ମେଦଭେଦେଭଙ୍କୁ ଏହି ଦଣ୍ଡ ଗ୍ରୀସର ଷ୍ଟେଫାନସ ସିତସିପାସଙ୍କ ବିପକ୍ଷ ସେମି ଫାଇନାଲ୍ ମୁକାବିଲାରେ ଚେୟାର ଅମ୍ପାୟରଙ୍କ ପ୍ରତି ଦୁର୍ବ୍ୟବହାର କାରଣରୁ ଦିଆଯାଇଛି।

ୟୁଏସ ଓପନ ଚାମ୍ପିଅନ ମେଦଭେଦେଭ ସେମି ଫାଇନାଲ୍‌ରେ ଷ୍ଟେଫାନୋସ୍‌ଙ୍କୁ ୭-୬, ୪-୬, ୬-୪, ୬-୧ରେ ମାତ୍ ଦେଇଛନ୍ତି। ତେବେ ମ୍ୟାଚ୍ ସମୟରେ ସେ ଚେୟାର ଅମ୍ପାୟରଙ୍କ ସହ ଝଗଡା କରିଥିଲେ। କାରଣ  ତାଙ୍କୁ ଲାଗୁଥିଲା ଯେ, ସିତସିପାସଙ୍କୁ ତାଙ୍କ ବାପା ଖେଳ ସମୟରେ ଟିପ୍ସ ଦେଉଛନ୍ତି, ଯାହା ଖେଳର ନିୟମ ବିରୁଦ୍ଧରେ।

ତାଙ୍କର ଏହି ବ୍ୟବହାର କାରଣରୁ ତାଙ୍କ ଏବେ ଦଣ୍ଡ ଭୋଗିବାକୁ ପଡିଛି। ମ୍ୟାଚ୍ ପରେ ସେ ଚେୟାର ଅମ୍ପାୟରଙ୍କୁ କ୍ଷମା ମାଗିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମେତଭେଦେଭ ସ୍ଵୀକାର କରିଛନ୍ତି ଯେ, ସେ ଭୁଲ୍ କରିଛନ୍ତି। ତଥାପି ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମର ଆୟୋଜକ ତାଙ୍କ ଉପରେ ଜରିମାନା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଦୁର୍ବ୍ୟବହାର ପାଇଁ ୮୦୦୦ ଡଲାର ଏବଂ ଖେଳୁଆଡ ମନୋଭାବ ବିରୁଦ୍ଧ ବ୍ୟବହାର ପାଇଁ ୪୦୦୦ ଡଲାର ଜରିମାନା ଲଗାଯାଇଛି।

ସେମି ଫାଇନାଲ୍‌ ମ୍ୟାଚ୍ ସମୟରେ ଦ୍ଵିତୀୟ ସେଟ୍‌ରେ ସର୍ଭିସ୍ ହରାଇବା ପରେ ସେ ଚେୟାର ଅମ୍ପାୟର ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କ କହିବା କଥା ସିତସିପାସଙ୍କୁ ଦର୍ଶକଙ୍କ ଗହଣରେ ବସିଥିବା ତାଙ୍କ ବାପା ଟିପ୍ସ ଦେଉଛନ୍ତି। ଏଥିପାଇଁ ଗ୍ରୀସର ଯୁବ ଷ୍ଟାର ଖେଳାଳିଙ୍କୁ  ଚେତାବନୀ ଦେବା ଉଚିତ୍। ଏହା ଉପରେ ଯେବେ ଚେୟାର ଅମ୍ପାୟର କୌଣସି ଉତ୍ତର ଦେଇନଥିଲେ, ସେ ଉତକ୍ଷୀପ୍ତ ହୋଇ ଉଠିଥିଲେ। ସେ କ୍ରୋଧରେ ଅମ୍ପାୟରଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ ଏବଂ ଏହା କୌଣସି ସ୍ଥାନୀୟ ଟୁର୍ଣ୍ଣାମେଣ୍ଟ ନୁହେଁ ବୋଲି କହିଥିଲେ। ଏହା ଅଷ୍ଟ୍ରେଲିଆନ ଓପନ, ଏଠାରେ ଏମିତି କେମିତି ହୋଇ ପାରିବ। ଆପଣ ଏମିତି ଖରାପ ବ୍ୟବହାର କେମିତି କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.