ବାଜିରେ ଲାଗୁଛି ଜୀବନ : ଯାତ୍ରା ପେଣ୍ଡାଲରେ ଚାଲିଛି ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ଶୋ’
30/11/2019 at 8:17 AM

ବାଲେଶ୍ବର (ସର୍ବେଶ୍ଵର ନାଥ) ୩୦।୧୧: କଥାରେ ଅଛି ପେଟ ପାଇଁ ସବୁ ନାଟ । ପେଟ ପାଇଁ ଯାତ୍ରା ପେଣ୍ଡାଲରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉଥିବା କିଛି କଳାକାରଙ୍କ ଜୀବନକୁ ବାଜିରେ ଲଗାଇ କେମିତି କିଛି ଲୋକଙ୍କୁ ଅର୍ଥ ରୋଜଗାରର ଲୋଭ ଘାରିଛି ।

ବାଜିରେ ଲାଗିଛି ଜୀବନ । ଯାତ୍ରା ଷ୍ଟେଜ୍ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ଶୋ’ । କିଏ ନିଆଁ ଭିତରେ ଡେଉଁଛି । କିଏ ନିଆଁ ହୁଳା ଧରି ବୁଲୁଛି । ପୁଣି କିଏ ଦଉଡ଼ିରେ ଝୁଲୁଛି । ଭଳିକି ଭଳି ହରକତ କରୁଛନ୍ତି କଳାକାର । ମନରେ ଭୟ ଅଛି । ଛାତି ଥରୁଛି । ତଥାପି ପେଟ ପାଇଁ ଚାଲିଛି ନାଟ ।

ଏକ ଯାତ୍ରାପାର୍ଟିର ମଞ୍ଚରେ ଦେଖିବାକୁ ମିଳିଥିଲା ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ବିପଦପୂର୍ଣ୍ଣ ଷ୍ଟଣ୍ଟ୍, ଡ୍ୟାନ୍ସ ପ୍ରଦର୍ଶନ କରୁଛନ୍ତି କିଛି ଯୁବକ ଯୁବତୀ । ସେମାନେ ଜାଣିଛନ୍ତି ଉପରୁ ତଳକୁ ପଡ଼ିଲେ ଜୀବନ ଚାଲିଯିବାର ଆଶଙ୍କା ଅଛି । ନିଆଁରେ ପୋଡ଼ିଯିବାର ସମ୍ଭାବନା ଅଛି ।

ତଥାପି ନିଜ ଜୀବନକୁ ବାଜି ଲଗାଇ ଚଳାଇଛନ୍ତି ଏମିତି ବିପଦପୂର୍ଣ୍ଣ ଖେଳ । ଏଠି ପ୍ରଶ୍ନ ଉଠୁଛି, ଯଦି କିଛି ଅଘଟଣ ଘଟେ ତାହେଲେ କ’ଣ ଯାତ୍ରାପାର୍ଟି ମାଲିକ ଦାୟୀ ହେବେ ?

ଏଠି ଯାତ୍ରା ପେଣ୍ଡାଲରେ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉଥିବା କଳାକାରଙ୍କ ଜୀବନ କେବଳ ବାଜିରେ ଲାଗିଛି ତାହା ନୁହେଁ, ଯାତ୍ରା ଦେଖିବାକୁ ଆସୁଥିବା ହଜାର ହଜାର ଦର୍ଶକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । କାରଣ ଯାତ୍ରା ପେଣ୍ଡାଲ ପାଖରେ ନା’ ରହୁଛି ଆମ୍ବୁଲାନ୍ସ୍ ନା’ ରହୁଛି ଦମକଳ ।

ତଥାପି ବିପଦକୁ ବରଣ କରି ଚାଲିଛି ଯାତ୍ରା । ଏଥି ପ୍ରତି ନା ଯାତ୍ରାପାର୍ଟି ମାଲିକଙ୍କ ନିଘା ଅଛି ନା’ ପ୍ରଶାସନର ନଜର । ଲାଗୁଛି ଯେମିତି ସମସ୍ତେ ମିଳିମିଶି ଗୋଟେ ବଡ଼ ଦୁର୍ଘଟଣାକୁ ସ୍ବାଗତ କରିବାକୁ ହାତବାନ୍ଧି ଅପେକ୍ଷା କରି ରହିଛନ୍ତି ।

ବିନା ଫାୟାର ସେଫଟି ମେଜର୍ସରେ ଏଭଳି ବିପଦପୂର୍ଣ୍ଣ ଡ୍ୟାନ୍ସ ପ୍ରଦର୍ଶନ ପାଇଁ କିଭଳି ଯାତ୍ରାପାର୍ଟି ମାଲିକମାନଙ୍କୁ ଅନୁମତି ମିଳୁଛି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏସବୁ ଦେଖିବା ପରେ ଆମେ କ’ଣ ଏୟା ଭାବିବା ଯେ, ଏଠି ଟଙ୍କା ବଳ ଆଗରେ ଶସ୍ତା ହୋଇଯାଇଛି ମଣିଷର ଅମୂଲ୍ୟ ଜୀବନ ?