ଏପରି ବିପଦ ବରଣ କରି ମେଳାକୁ ଆସୁଛନ୍ତି ଲୋକେ, ନା ଦେଖାଯାଏ ଧାରଣା ନା ରେଳ
13/01/2020 at 4:35 PM

ଢାକା ୧୩।୧: ବାଂଲାଦେଶରେ ଆରମ୍ଭ ହୋଇଯାଇଛି ‘ବିଶ୍ୱ ଇଜତେମା’। ରାଜଧାନୀ ଢାକା ଉପକଣ୍ଠରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ଧାର୍ମିକ ସମ୍ମିଳନୀକୁ ହଜ୍ରୁ ଫେରିଥିବା ଯାତ୍ରୀମାନେ ଯୋଗଦେବାକୁ ଯାଇଥାନ୍ତି। ଏଥିଲାଗି ପ୍ରତିବର୍ଷ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଲୋକେ ଏଠାରେ ପହଞ୍ଚୁଥିବା ବେଳେ ସେମାନଙ୍କୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଟ୍ରେନ, ବସ୍ ଓ ଷ୍ଟିମର ବ୍ୟବସ୍ଥା ହୁଏ। ତେବେ ଲୋକଙ୍କ ସଂଖ୍ୟା ଅନୁସାରେ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବାରୁ ଲୋକେ ବିପଦ ବରଣ କରିବାକୁ ବାଧ୍ୟ ହୁଅନ୍ତି।

ଢାକା ଉପକଣ୍ଠ ତୁଙ୍ଗରୀ ନଦୀ କୂଳରେ ଅନୁଷ୍ଠିତ ହେଉଥିବା ଏହି ବିଶ୍ୱ ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ଲୋକେ ଟ୍ରେନରେ ଏତେ ସଂଖ୍ୟାରେ ଉଠନ୍ତି ଯେ ବଗି ଭିତର, ବାହାର ଓ ଛାତ ଭର୍ତି ହୋଇ ଇଞ୍ଜିନରେ ବି ଓହଳି ପଡନ୍ତି। ଏଥିରେ ଟ୍ରେନ ଚାଲିବା ବେଳେ ଲୋକଙ୍କ ଉପରେ ଲୋକେ ଚଢି ରେଳ ଧାରଣାରେ ଦଉଡୁଥିବା ଭଳି ପ୍ରତୀତ ହୁଅନ୍ତି। କେବଳ ଟ୍ରେନ ନୁହେଁ ବସ୍ ଓ ଷ୍ଟିମରରେ ବି ସମାନ ଅବସ୍ଥା। ଲୋକେ ବସ୍ ଭିତରେ ଓ ଛାତରେ ବସିବା ପରେ ବି ଚାରିପଟେ ଝୁଲି ଯାଉଥିବା ଦେଖା ଯାଉଥିବା ବେଳେ ତୁଙ୍ଗରୀ ନଦୀରେ ଷ୍ଟିମର ବି ସେହି ଭଳି ଅଧବୁଡା ଅବସ୍ଥାରେ ଆତଯାତ ହେଉଥିବା ଦେଖାଯାଆନ୍ତି।

ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଦୁଇ ଦିବସୀୟ ସମ୍ମିଳନୀର ପ୍ରଥମ ଭାଗ ୧୨ତାରିଖରେ ଉଦଯାପିତ ହୋଇଛି। ଏହା ଦ୍ୱିତୀୟ ଅଧିବେଶନ ଜାନୁୟାରୀ ୧୭ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶ ବିଦେଶର ଇସ୍ଲାମ ଜ୍ଞାତାମାନେ ଇସ୍ଲାମ ନେଇ ସେମାନଙ୍କ ଅନୁଭବ ଓ ଅବିଜ୍ଞତା ଏଠାରେ ବାଖ୍ୟା କରୁଥିବା ବେଳେ ସେମାନଙ୍କୁ ଶୁଣିବା ଓ ଦେଖିବା ଲାଗି ଲକ୍ଷଲକ୍ଷ ଲୋକଙ୍କ ଭିଡ ଜମେ। ୧୯୬୭ ମସିହାରୁ ଏଠାରେ ବିଶ୍ୱ ଇଜତେମା ଅନୁଷ୍ଠିତ ହୋଇଆସୁଥିବା ବେଳେ ଏଥିଲାଗି ସରକାର ୧୬୦ ଏକର ଜମି ଆବଣ୍ଟିତ କରିଛନ୍ତି। ତେବେ ଦୁଇ ଦିବସୀୟ କାର୍ଯ୍ୟକ୍ରମ ଲାଗି ଏତେ ବର୍ଷ ପରେ ବି ସରକାର ଆବଶ୍ୟକ ବ୍ୟବସ୍ଥା କରିପାରୁନଥିବାରୁ ଏନେକ ସମୟରେ ଦୁର୍ଘଟଣା ଯୋଗୁ ଲୋକେ ହତାହତ ହୋଇଥାନ୍ତି।
