ଆମେରିକା ଓ ଚୀନ ମଧ୍ୟରେ ହୋଇଯିବ କି ଯୁଦ୍ଧ ! ଉତ୍ତେଜନା ସ୍ଥଳକୁ ରୁଷ ମଧ୍ୟ ପଠାଉଛି ସେନା, ଦକ୍ଷିଣ ଚୀନ ସାଗରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

Published By : Prameya-News7 Bureau | September 19, 2020 IST

ମସ୍କୋ ୧୯।୦୯: ଆମେରିକା ଓ ଚୀନ ମଧ୍ୟରେ କ୍ରମାଗତ ଉତ୍ତେଜନା ବଢିବାରେ ଲାଗିଛି। ଏହା ମଧ୍ୟରେ ରୁଷ ନିଜ ସୈନିକଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଗୁରୁବାର କହିଛନ୍ତି ରୁଷ କ୍ଷେତ୍ରରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁଦୂର ପୂର୍ବରେ ନିଜର ସୈନ୍ୟ ଉପସ୍ଥିତି ବଢାଉଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ ପୂର୍ବ ଚୀନ ସାଗରରେ ସ୍ଥିତ ରୁଷର ନୌସେନା ପ୍ରତିଷ୍ଠାନ ଭ୍ଲାଦିଭୋସ୍ତୋକରେ ରୁଷି ସେନାର ସଂଖ୍ୟା ବୃଦ୍ଧି କରାଯାଉଛି। ଏହି ବେସ୍‌ ଜରିଆରେ ରୁଷ ପ୍ରଶାନ୍ତ ମହାସାଗର, ପୂର୍ବ ଚୀନ ସାଗର ଓ ଫିଲିଫାଇନ୍ସ ସାଗର ଉପରେ ନିଜର ନଜର ରଖି ପାରିବ।

ରୁଷ ପ୍ରତିରକ୍ଷା ଓ୍ଵେବ୍‌ସାଇଟ୍‌ ଅନୁଯାୟୀ, ସର୍ଗେଇ ଶୋଇଗୁ କହିଛନ୍ତି ପୂର୍ବ କ୍ଷେତ୍ରରେ ଉତ୍ତେଜନା ବଢିବା କାରଣରୁ ସୈନିକଙ୍କ ସଂଖ୍ୟା ବୃଦ୍ଧି କରାଯାଉଛି। ମାତ୍ର ସେ ନିଜର ଟିପ୍ପଣୀରେ କୌଣସି ଦେଶର ନାମ ନେଇ ନାହାନ୍ତି। ସେ ନିଜର ବକ୍ତବ୍ୟରେ ବିପଦ ଥିବା କହିଥିଲେ ମଧ୍ୟ ବିପଦ କେଉଁ ପ୍ରକାରର ସେ ବିଷୟରେ ଅଧିକ କିଛି କହି ନାହାନ୍ତି। ଅପରପକ୍ଷେ ବିଶେଷଜ୍ଞଙ୍କ ଅନୁଯାୟୀ ଚୀନ ସଂଲଗ୍ନ ସୀମା ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବଢୁଥିବା ସ୍ଥିତିକୁ ନେଇ ରୁଷ ଚିନ୍ତିତ। ରୁଷ ଏହି କ୍ଷେତ୍ରରେ ନିଜର ହିତ ସୁରକ୍ଷା ପାଇଁ ସୈନିକଙ୍କ ଉପସ୍ଥିତି ବଢାଇବାକୁ ନିଷ୍ପତ୍ତି ନେଇଛି।

{"id":331775,"sizeSlug":"large"}

ମସ୍କୋ ଏହା ସୁନିଶ୍ଚିତ କରିବାକୁ ଚାହୁଁଛି ଯେ ଯୁଦ୍ଧ ପରି ସ୍ଥିତି ଆରମ୍ଭ ହେଲେ ଉତ୍ତେଜନା ସ୍ଥାନରେ ତା ପାଖରେ ପର୍ଯ୍ୟାପ୍ତ ସୈନ୍ୟ କ୍ଷମତା ମହଜୁଦ ରହୁ। କୁହାଯାଉଛି ଯେ, ଆଗାମୀ ଦିନରେ ଆମେରିକା ଓ ଚୀନ ମଧ୍ୟରେ ନୌସୈନିକ ଯୁଦ୍ଧ ହୋଇପାରେ। ରୁଷ କେବେ ବି ଏମିତି ରକ୍ଷାହୀନ ହୋଇ ରହି ପାରିବ ନାହିଁ। ଏହି କ୍ଷେତ୍ରରେ ରୁଷ ନିଜର ବାୟୁସେନା, ସ୍ଥଳ ସେନା ଓ ନୌସେନାର ଶକ୍ତି ବଢାଇବାକୁ ଚାହୁଁଛି।

ପୂର୍ବ କ୍ଷେତ୍ରରେ ସୈନିକଙ୍କୁ  ମୁତୟନ କରି ରୁଷ ନିଜର ଶକ୍ତି ଦେଖାଇବାକୁ ଚାହୁଁଛି। ଗୋଟିଏ ପଟେ ନିଜର ପାରମ୍ପରିକ ଶତ୍ରୁ ଆମେରିକାକୁ ସିଧା ସନ୍ଦେଶ ଦେଉଛି ତ ଅନ୍ୟପଟେ ଭ୍ଲାଦିଭୋସ୍ତୋକ ସହର ଉପରେ ଚୀନ କରୁଥିବା ଦାବିକୁ ନେଇ ମଧ୍ୟ କଡା ସନ୍ଦେଶ ଦେଉଛି। ଆମେରିକା ଏହି କ୍ଷେତ୍ରରେ ଜାପାନର ସାହାଯ୍ୟରେ ନିଜର ସୈନ୍ୟ ଉପସ୍ଥିତି କ୍ରମାଗତ ମଜବୁତ କରୁଛି। ଏହାର ଯୁଦ୍ଧପୋତ ଦକ୍ଷିଣ ଚୀନ ସାଗର ଓ ପୂର୍ବ  ଚୀନ ସାଗରରେ ଚକ୍କର କାଟୁଛି। ଏମିତିରେ ଚୀନ ଓ ରୁଷ ଉଭୟ ଦେଶ ସତର୍କ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.