ଘରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ : ସାଥୀ ହୋଇ ରହିବେ ବୋଲି ବିବାହ ବେଦୀରେ ନେଇଥିଲେ ଶପଥ, ଏକାସାଙ୍ଗେ ଗଲା ଜୀବନ

Published By : Prameya-News7 Bureau | May 29, 2021 IST

ଝାରସୁଗୁଡ଼ା ୨୯।୦୫ : ଘର ଭିତରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଠାବ । ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା କାଳୀନଗର ଠାରେ ଘଟିଛି ଅଘଟଣ । ମୃତ ଦମ୍ପତ୍ତିଙ୍କ ନାମ ସଦାନନ୍ଦ ବିଶ୍ବାଳ ଓ ହେମା ବିଶ୍ବାଳ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି । ସାଥୀ ହୋଇ ରହିବେ ବୋଲି ବିବାହ ବେଦୀରେ ଶପଥ ନେଇଥିବା ଦମ୍ପତିଙ୍କ ଜୀବନ ବି ଯାଇଛି ଏକାସାଙ୍ଗେ।

ଖବର ଅନୁଯାୟୀ, କିଛିଦିନ ପୂର୍ବରୁ ମୃତ ବୃଦ୍ଧ ଦମ୍ପତିଙ୍କ ବୋହୂ କରୋନାରେ ଆକ୍ରାନ୍ତ ହୋଇଥିଲା । ଯାହାଫଳରେ ତାଙ୍କ ପୁଅ ଶ୍ରୀନାଥ ବିଶ୍ୱାଳ ବୁର୍ଲା ଠାରେ ବୋହୂର ଚିକିତ୍ସା ପାଇଁ ଯାଇଥିବା ବେଳେ ଘରେ ବୃଦ୍ଧ ଦମ୍ପତିଙ୍କୁ ଛାଡି ଯାଇଥିଲେ । ସେମାନଙ୍କ ଖାଇବା ପିଇବାର ବନ୍ଦୋବସ୍ତ ପଡୋଶୀ ଘର ସହ କଥା ହୋଇ ଯାଇଥିଲା। ତେବେ ଦୁଇ ଦିନ ପୂର୍ବରୁ ଦମ୍ପତ୍ତି ଘର ଭିତରେ ରହିଥିବା ବେଳେ କୌଣସି ଉତ୍ତର ଦେଇନଥିଲେ। କରୋନା ପଜିଟିଭଙ୍କ ଘର ହୋଇଥିବାରୁ ପଡୋଶୀ ଘରର  ଲୋକେ ମଧ୍ୟ ବେଶି ଧ୍ୟାନ ଦେଇନଥିଲେ ।

ଶେଷରେ ଆଜି ଉକ୍ତ ଘରୁ ଗନ୍ଧ ବାହାରିବା ଫଳରେ ଆଖ ପାଖ ଲୋକେ ଓରିଏଣ୍ଟ ଥାନାକୁ ସୂଚନା ଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୁହିଁଙ୍କ ଶବ ଉଦ୍ଧାର କରାଯାଇଥିଲା। ମୃତକ ବୃଦ୍ଧ ଦମ୍ପତି ହେଲେ ସଦାନନ୍ଦ ବିଶ୍ବାଳ (୮୦ ବର୍ଷ)ଓ ହେମା ବିଶ୍ବାଳ(୭୫ ବର୍ଷ)। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ କୋଭିଡ଼ ନିୟମ ଅନୁସାରେ ସରକାରୀ ଆମ୍ବୁଲାନରେ ପିପିଇ କିଟ୍ ପିନ୍ଧି ମୃତକଙ୍କ ଶବକୁ ଘରୁ ବାହାର କରି ଅନ୍ତ୍ୟେଷ୍ଟି ପାଇଁ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.