ପୁତ୍ର ମୋହରେ ପିତା ! ବାଲିକୁଦା ଏରସମାରେ ଧିମେଇଛି ଦାମଙ୍କ ପ୍ରଚାର

Published By : Prameya-News7 Bureau | April 06, 2019 IST

ଭୁବନେଶ୍ବର ୬|୪ : ପୁତ୍ର ମୋହରେ ପିତା । ବାଲିକୁଦା ଏରସମା  ଏବଂ ପାରାଦୀପ ରାଜନୀତିରେ ଏବେ ବାପ-ପୁଅ ରାଜନୀତି ନେଇ ବେଶୀ ଚର୍ଚ୍ଚା । ବାଲିକୁଦା ଏରସମାରେ ବିଜେଡିରୁ ବିତାଡିତ ବିଜେପି ନେତା ଦାମୋଦର ରାଉତଙ୍କ ଧିମା ପ୍ରଚାରକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ , ଗୁରୁବାର ରାତିର ଏକ ଘଟଣାକୁ ନେଇ ତାହା ଆହୁରି ଆଲୋଚନାର ବିଷୟ ହୋଇଛି । ପୁଅ ସମ୍ବିତ ରାଉତରାୟଙ୍କ ମୁହଁକୁ ଚାହିଁ ଥଥମତ ହେଲେଣି କି ବାପା ଦାମୋଦର ?  ପାରାଦୀପ ବିଧାୟକ ଡା ଦାମୋଦର ରାଉତ ଏବେ ବାଲିକୁଦା ଏରସମାରେ ବିଜେପିର ବିଧାୟକ ପ୍ରାର୍ଥୀ ।କିନ୍ତୁ ତାଙ୍କ ପୁଅ ସମ୍ବିତ ରାଉତରାଏ ପାରାଦୀପ୍ ରେ ବିଜେଡି ପ୍ରାର୍ଥୀ ଘୋଷିତ ହୋଇଛନ୍ତି । ତେଣୁ  ଦାମୋଦରଙ୍କ  ପ୍ରତିଟି ପଦକ୍ଷେପ ଉପରେ ଏବେ ନଜର ।

ଗୁରୁବାର ରାତିରେ ଦାମୋଦରଙ୍କ ତିର୍ତ୍ତୋଲ ଘରେ ବିଜେଡି ନେତାଙ୍କ ସହ ଦାମୋଦରଙ୍କ କଥାବାର୍ତ୍ତାର ଖବର ନେଇ ଚର୍ଚ୍ଚା ଆହୁରି ବଢିଯାଇଛି  । ପାରାଦୀପ ବିଧାନସଭା ଆସନରୁ ବିଜେଡି ଟିକେଟ ପାଇଥିବା ସମ୍ବିତ ରାଉତରାୟ ତିର୍ତ୍ତୋଲ ଘରେ ଦଳୀୟ କର୍ମୀ ଓ ନେତାଙ୍କ ସହ ବୈଠକ କରୁଥିଲେ । ସେଥିରେ  ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେଡି ସଂଗଠନର ବହୁ ତୃଣମୂଳସ୍ତରର କର୍ମୀମାନେ ଯୋଗ ଦେଇଥିଲେ ।  ପ୍ରାର୍ଥୀ ପତ୍ର ଦାଖଲ ଶୋଭାଯାତ୍ରା ଏବଂ କାର୍ଯ୍ୟକ୍ରମ ନେଇ ବିଜେଡି କର୍ମୀଙ୍କ ସହ ସମ୍ବିତ ଆଲୋଚନା କରୁଥିଲେ । ତେବେ ସେହି ବୈଠକ ଚାଲିଥିବା ବେଳେ , ହଠାତ ସେଠାରେ ପହଞ୍ଚିଥିଲେ ଡାକ୍ତର ଦାମୋଦର ରାଉତ ।

ତେବେ ସେ ସମ୍ବିତଙ୍କ ବୈଠକକୁ ନଯାଇ ଅନ୍ୟ ଏକ ପ୍ରକୋଷ୍ଠକୁ ଚାଲି ଯାଇଥିଲେ ।  କିନ୍ତ ସେହି ପ୍ରକୋଷ୍ଠରୁ ବାହାରିବା ପରେ ସେଠାରେ ଥିବା ବିଜେଡି ନେତାଙ୍କୁ ପୁଅ ସମ୍ବିତ ଲାଗିଲା ବୋଲି କୁଆଡେ କହିଥିଲେ ଦାମୋଦର  । ଯାହାକୁ ନେଇ ଏବ ଅନେକ ପ୍ରଶ୍ନ ଉଠିଲାଣି । ପୁଅ ସମ୍ବିତଙ୍କ ମୁହଁକୁ ଚାହିଁ ଚୁପ ବସିବେ କି ଦାମ ? ରାଉତ ନିର୍ବାଚନରୁ ଓହରି ଯାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଲୋକଙ୍କ କଥା ହେଲା ବାପ କୁ ପୁଅ ରାଣ ଭଳି ଅବସ୍ଥା । ଗୋଟିଏ ପୁଅକୁ ଉତ୍ତରାଧିକାରୀ ଭାବେ ରାଜନୈତୀକ ପରିଚୟ ଦେବାର ଏହି ସୁଯୋଗରେ ଦାମୋଦର  କ'ଣ ଗୋଟି ଚଳାଇବେ ତାହାକୁ ଦେଖିବାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.