“ଦଳରୁ ବହିଷ୍କାର କଲେ କ’ଣ ହେବ ?” କହିଲେ ଦାମ
10/09/2018 at 7:41 PM

ଭୁବନେଶ୍ବର୧୦|୯: ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଜଗତସିଂହପୁରର ବରିଷ୍ଠ ବିଜେଡି ନେତା ତଥା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ବିଷ୍ଣୁ ଦାସ ଏବଂ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଫେରାଦ ହୋଇଛନ୍ତି ବୋଲି ଶୁଣିବାପରେ ଦାମ ଚିଡିଯାଇଛନ୍ତି । କାର୍ଯ୍ୟାନୁଷ୍ଠାନ ଭୟରେ ଦବିଯିବା ବଦଳରେ ସେ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ସେ କହିଛନ୍ତି ଯେ, ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାଁନ୍ତି। ଏରସମାରେ ଯେଉଁ ବୈଠକ କଥା କୁହାଯାଉଛି ସେ ବୈଠକରେ ବିଜେଡି ବିରୋଧୀ କେହି ନଥିଲେ। ତାଛଡା ବିଷ୍ଣୁଦାସ ଜଣେ ଅସାମାଜିକ ବ୍ୟକ୍ତି । ସେ କେମିତି ରାଜନୀତିରେ ଅଛନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି। ଅତୀତରେ ବିଷ୍ଣୁ ଦାସ କହିଥିଲେ- ବିଜୁ ପଟ୍ଟନାୟକଙ୍କ ଔରସରୁ ନବୀନ ଜନ୍ମ ହୋଇନାହାଁନ୍ତି ବୋଲି ଦାମ ମନେ ପକାଇଦେଇଛନ୍ତି। ସେହିଭଳି ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ କପାଳକୁ ବିଛିକଂକଡା ବିଛା କାମୁଡିଛି ବୋଲି ଦାମ କଟାକ୍ଷ କରିଛନ୍ତି।
ଦଳରୁ ବହିଷ୍କାର ଆଶଂକା ସମ୍ପର୍କରେ ମଧ୍ୟ ଦାମ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଦଳର ଉପ-ସଭାପତି ପଦରୁ ବହିଷ୍କାର ହୋଇସାରିଛନ୍ତି , ମନ୍ତ୍ରୀ ପଦରୁ ରାତି ଅଧିଆ ବହିଷ୍କାର ହୋଇଛନ୍ତି, ପର୍ଯ୍ୟବେକ୍ଷକ ପଦବୀରୁ ବହିଷ୍କାର ହୋଇଛନ୍ତି । ଏବେ ଦଳରୁ ବହିଷ୍କାର ହେଲେ ତାଙ୍କର କଣ ଅସୁବିଧା ହେବ ବୋଲି ଦାମ ପ୍ରଶ୍ନ କରିଛନ୍ତି। ତେବେ ଯେତେବେଳ ପର୍ଯ୍ୟନ୍ତ ଦଳ ସହ ବିଜୁଙ୍କ ନାଁ ଯୋଡି ହୋଇ ରହିଛି ସେ ପର୍ଯ୍ୟନ୍ତ ସେ ଦଳରେ ଅଛନ୍ତି । ବିଜୁ ପଟ୍ଟନାୟକଙ୍କ ନାଁ କୁ ବାଦ ଦେଇ ସେ କେବେ ରାଜନୀତି କରିନାହାଁନ୍ତି ବୋଲି କହିଛନ୍ତି। ବିଜେଡିରୁ ବହିଷ୍କାର ହେଲେ ବିଜେପିରେ ସେ ଯୋଗ ଦେବେକି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଦାମ କହିଛନ୍ତି ଏହା କସ୍ମିନକାଳେ ହେବ ନାହିଁ । କୋଟି କୋଟି ଟଂକା ଦେଲେ ମଧ୍ୟ ବିଜେପିକୁ ଯିବାର ପ୍ରଶ୍ନ ଉଠୁନାହିଁ ।