ଭୁବନେଶ୍ବର୨୬|୧୦: ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ଅଣଦେଖା ଅଭିଯୋଗ କରି ନିକଟରେ ବିଜେପି ଛାଡିଛନ୍ତି । ବିଜେପୁର ଉପ-ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ ବିଜେଡି ପ୍ରାର୍ଥୀ ରୀତା ସାହୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜେପୁର ଉପ ନିର୍ବାଚନ ବିଜୟୀ ହେବା ନେଇ ଡାକ୍ତର ରାଉତ ଆଜି ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଲାବେଳେ ତାଙ୍କ ୟୁ ଟର୍ଣ୍ଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଦାମ କହିଛନ୍ତି ନବୀନ ପଟ୍ଟନାୟକ ଜଣେ ସ୍ବଭାବିକ ନେତା । ରାଜ୍ୟବାସୀ ତାଙ୍କୁ ବହୁତ ଭଲ ପାଆନ୍ତି । ଓଡିଶା ଲୋକେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳକୁ ଭଲ ପାଆନ୍ତି । କେବଳ ଜାତୀୟ ଦଳ ନୁହେଁ ଜାତୀୟ ଦଳରେ ଥିବା ଆଞ୍ଚଳିକ ନେତାଙ୍କୁ ବି ଓଡିଶାବାସୀ ଭଲ ପାଆନ୍ତି ନାହିଁ ବୋଲି ଦାମ କହିଛନ୍ତି । ଏ ପରିପ୍ରେକ୍ଷୀରେ ବିଜେପି ଆତ୍ମ ସମୀକ୍ଷା କରିବା ଆବଶ୍ୟକ ବୋଲି ଦାମ ପରାମର୍ଶ ଦେଇଛନ୍ତି ।
ବିଜୁ ଜନତା ଦଳ ପ୍ରତି ସେ କେବେ ବିମୁଖ ନତିଲେ ଓ ଏବେ ବି ବିମୁଖ ନାହାନ୍ତି ବୋଲି ଦାମଙ୍କ ଉକ୍ତି ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଦାମଙ୍କ ଏଭଳି ୟୁ ଟର୍ଣ୍ମ ପଛର ଉଦ୍ଦେଶ୍ୟ କଣ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବାରୁ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ନୀତିଗ୍ରସ୍ତ ବୋଲି ବରାବର ଅଭିଯୋଗ କରିଆସୁଥିବା ଦାମ ଆଜି ହଠାତ୍ ନବୀନଙ୍କ ପ୍ରଶଂସାରେ ଶତମୁଖ ହେବା ବିଭିନ୍ନ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି ।
ଦାମ କହିଛନ୍ତି ଯେ, ସେ ବିଜେଡି ନିଜ ଆଡୁ ଛାଡି ନାହାନ୍ତି । ବରଂ ତାଙ୍କୁ କୌଣସି କାରଣ ନଦର୍ଶାଇ ଦଳରୁ ବହିଷ୍କାର କରାଯାଇଛି । ନବୀନ ପଟ୍ଟନାୟକଙ୍କୁ ସେ ଭଲ ପାଆନ୍ତି । ବିଜୁ ଜନତାଦଳ ଗଠନରେ ତାଙ୍କର ଭୂମିକା ଥିବା ସେ ମନେପକାଇଦେବା ସହ ନବୀନଙ୍କୁ ବିରୋଧ କରୁଥିବା ଲୋକଙ୍କୁ ସେ ବିରୋଧ କରିଛନ୍ତି ବୋଲି କହିଛନ୍ତି । ନବୀନଙ୍କ ବିରୋଧରେ ପ୍ୟାରୀ ମହାପାତ୍ର କରିଥିବା ଷଡଯନ୍ତ୍ର ସେ ଏକା ଭାଙ୍ଗି ଦେଇଥିଲେ ବୋଲି ଦାବି କରିଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ତାଙ୍କୁ ବହିଷ୍କାର କରିବା ପରେ ସେ ସୂଚନା ଅଧିକାର କର୍ମୀଙ୍କୁ ଧରି ସାରା ରାଜ୍ୟ ବିଲୁଥିଲେ । ତେବେ ନବୀନଙ୍କୁ ବିରୋଧ କରିବା ଲାଗି ନୁହଁ ବରଂ ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଦାମ କହିଛନ୍ତି । ସେତେବେଳେ ବିଜେପି ନେତାମାନେ ତାଙ୍କୁ ବିଜେପିରେ ଯୋଗ ଦେବା ଲାଗି ଆମନ୍ତ୍ରଣ କରିଥିଲେ । ଆମନ୍ତ୍ରଣ ରକ୍ଷା କରି ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ମଧ୍ୟ ନିର୍ବାଚନ ସମୟରେ ତାଙ୍କୁ ଗୁରୁତ୍ବ ଦେଉଥିଲା । କିନ୍ତୁ ନିର୍ବାଚନ ସରିବା ପରେ ତାଙ୍କୁ ଆଉ ପଚାରିଲା ନାହିଁ ବୋଲି ଦାମ କହିଛନ୍ତି ।
ଓଡିଶାବାସୀ ଆଞ୍ଚଳିକ ଦଳକୁ ଭଲ ପାଉଥିବା ସମ୍ପର୍କରେ ଦାମ ଗଣ ମାଧ୍ୟମକୁ ବିଭିନ୍ନ ଉଦାହରଣ ଦେଇଥିଲେ । ସେ କହିଥିଲେ ୧୯୫୨ ମସିବହାରେ ପ୍ରଥମ ଓ ଦ୍ବିତୀୟ ସାଧାରଣ ନିର୍ବାଚନଠୁ ଆରମ୍ଭ କରି ପରବର୍ତ୍ତୀ ବିଭିନ୍ନ ସମୟରେ ଓଡିଶାରେ ଆଞ୍ଚଳିକ ଦଳ ଓ ମେଣ୍ଟ ହିଁ ସଫଳତା ପାଇଛି । ୧୯୬୧ ମସିହାରେ କେବଳ ବିଜୁ ବାବୁଙ୍କ ନେତୃତ୍ବରେ କଂଗ୍ରେସ କିଛି ସମୟ ସ୍ଥିର ସରକାର ଦେଇଥିଲା । ତେବେ ତା ପରେ ୧୯୬୭ରେ ହରେକୃଷ୍ଣ ମହତାବଙ୍କ ଜନ କଂଗ୍ରେସ ଏବଂ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ସ୍ବତନ୍ତ୍ର ପାର୍ଟି ହିଁ ମେଣ୍ଟ ସରକାର କରିଥିଲେ । ସେହିଭଳି୧୯୭୧ ମସିହାରେ ବିଜୁ ପଟ୍ଟନାୟକଙ୍କ ଉତ୍କଳ କଂଗ୍ରେସ ଏବଂ ରାଜେନ୍ଦ୍ର ନାରାୟଣ ସିଂ ଦେଓଙ୍କ ସ୍ବତନ୍ତ୍ର ପାର୍ଟି ଭଳି ଆଞ୍ଚଳିକ ଦଳ ମିଳିତ ସରକାର ଗଠନ କରିଥିଲେ ବୋଲି ଦାମ ନିଜ ବକ୍ତବ୍ୟ ସପକ୍ଷରେ ଯୁକ୍ତି କରିଛନ୍ତି ।
ନବୀନ ପଟ୍ଟନାୟକ , ବିଜୁ ପଟ୍ଟନାୟକ ଏବଂ ବିଜୁ ଜନତା ଦଳକୁ ଦାମଙ୍କ ପ୍ରଶଂସାକୁ ଦୃଷ୍ଟିରେ ରଖି ଦାମ ଏବେ ବିଜେଡି ମୁହାଁ ବୋଲି ଚର୍ଚ୍ଚା ହେଉଛି । ତେବେ ଦଳ ବିରୋଧୀ କାର୍ୟ୍ୟ ଲାଗି ବିଜେଡିରୁ ବହିଷ୍କୃତ ଦାମଙ୍କୁ ପୁଣି ବିଜେଡିକୁ ନେବା ଲାଗି ନବୀନ ରିସ୍କ ନେବେ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିବ ।
wp:html /wp:html