ଦିଲ୍ଲୀରେ ଡାକ୍ତର ଦାମୋଦର ରାଉତ, ମିଶିବେ ବିଜେପିରେ !

Published By : Prameya-News7 Bureau | March 09, 2019 IST

ଭୁବନେଶ୍ବର ୯|୩ : ନୂଆ ଦଳ ଗଢିବାକୁ ଅଣ୍ଟା ଭିଡିଥିବା ଡାକ୍ତର ଦାମୋଦର ରାଉତ ଆଜି ଦିଲ୍ଲୀ ପହଞ୍ଚିଛନ୍ତି । ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟରେ ବେଶ୍ ଚହଳ ସୃଷ୍ଟି ହୋଇଛି । ଏପରିକି ସମ୍ଭବତଃ ଦିଲ୍ଲୀଠାରେ ସେ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପିର ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଦାମଙ୍କୁ ନେଇ ଦିଲ୍ଲୀ ଯାଇଥିବା କୁହାଯାଉଛି । ତେବେ ଏହି ଆଲୋଚନା ପଛରେ କେତେ ସତ୍ୟତା ଅଛି ତାହା ଜଣାପଡିନାହିଁ ।

{"id":92021}

ଦାମ ଦିଲ୍ଲୀ ଯିବା ଖବର ପ୍ରଚାରିତ ହେବା ପରେ ଗଣମାଧ୍ୟମର ପ୍ରତିନିଧିମାନେ ଘନ ଘନ ଦାମଙ୍କୁ ଫୋନ୍ କରୁଥିଲେ ମଧ୍ୟ ଦାମ କାହାରି ଫୋନ୍ ଉଠାଉନାହାନ୍ତି । ଫଳରେ ସେ ବିଜେପିରେ ଯୋଗଦେଉଥିବା ଚର୍ଚ୍ଚା ଆହୁରି ଜୋର ଧରିଛି । ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ପରେ  ଦାମଙ୍କର ଏହି ଅଚାନକ ଦିଲ୍ଲୀ ଗସ୍ତକୁ ନେଇ ସ୍ବାଭାବିକ ଭାବରେ କଳ୍ପନା ଜଳ୍ପନା ତିଆରି ହେଉଛି । ଖବର ନେବାରେ ଜଣାପଡିଛି ଯେ, କେନ୍ଦ୍ର ପେଟ୍ରୋଲିୟମ୍ ଧର୍ମେନ୍ଦ୍ର ପ୍ରଧାନ ଏବେ ଦିଲ୍ଲୀରେ ନାହାନ୍ତି । ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ବିଜେପିରେ ଦାମଙ୍କ ସାମିଲ ନେଇ ଉଠୁଥିବା ଚର୍ଚ୍ଚା ଉପରୁ ପରଦା ହଟିବ । ଦାମଙ୍କ ପରେ ପରେ ସମତା କ୍ରାନ୍ତି ଦଳର ପ୍ରତିଷ୍ଠାତା ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀ, ଉତ୍କଳ ଭାରତର ରାଜ୍ୟ ଆବାହକ ତଥା ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ ମଧ୍ୟ ପୁଣି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଲୋଚନା ହେଉଛି ।

{"id":92020}

୨୦୧୮ ମସିହା ସେପ୍ଟେମ୍ବର ୧୨ତାରିଖରେ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା । ଏହା ପରେ ପରେ ସେ ନୂଆ ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିବେ ବୋଲି ସଂକେତ ଦେଇ ଆସୁଥିଲେ । ତେବେ ଶେଷରେ ସେ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ସହ ଜଡିତ ହୋଇଥିଲେ । ସମତା କ୍ରାନ୍ତି ଦଳର ନାଁ ପରିବର୍ତ୍ତନ କରି ବିଜୁ କ୍ରାନ୍ତି ଦଳ ଭାବେ ଦଳକୁ ପୁର୍ନନାମିତ କରିବା ପାଇଁ ସର୍ତ୍ତ ରଖି ଦାମ ଦଳରେ ଯୋଗଦେଇଥିଲେ । ପରବର୍ତ୍ତି ସମୟରେ ଉତ୍କଳ ଭାରତର ସଭାପତି ମଧ୍ୟ ସମତା କ୍ରାନ୍ତି ଦଳ ସହ ମେଣ୍ଟ କରିଥିଲେ । ଏହି ମେଣ୍ଟ ଆଗାମୀ ଦିନରେ ବ୍ୟାପକ ରୂପ ଧାରଣ କରିବ । ଯେକୌଣସି ଅଣ ବିଜେଡି ଓ ଅଣ କଂଗ୍ରେସ ଦଳ ସହ ସମତା କ୍ରାନ୍ତି ଦଳ ମେଣ୍ଟ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନେଇଥିଲା । ଏପରିକି ଦରକାର ପଡିଲେ ବିଜେପି ସହିତ ମେଣ୍ଟ କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ । ଏସବୁ କଥାକୁ ବିଚାରକୁ ନେଲେ ଦାମଙ୍କ ଦିଲ୍ଲୀ ଗସ୍ତକୁ ବିଶେଷ ଗୁରୁତ୍ବ ଦିଆଯାଉଛି । ଦାମ ବିଜେପିରେ ଯୋଗଦେଇପାରନ୍ତି ବା ବିଜେପି ସହ ମେଣ୍ଟ କରିପାରନ୍ତି ବୋଲି ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.